ମୋହଚୂର୍ଣ୍ଣ ନେଇ ଆସିବେ ମା’ ସାଆନ୍ତାଣୀ : ଭାଙ୍ଗିବେ ନନ୍ଦିଘୋଷ ରଥ

ବିମଳାଦେବୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ସାନ୍ତ୍ୱନା ବାକ୍ୟରେ ବୁଝାଇ କହିଥିଲେ ଯେ ସ୍ଵାମୀ ଯଦି କେବେ ବିବେକ ଶୂନ୍ୟ ହୋଇ ଅକରଣୀୟକୁ କରଣୀୟ ବୋଲି ମନେ କରନ୍ତି ତେବେ ତାଙ୍କୁ ଉଚିତ୍ ମାର୍ଗକୁ ଆଣିବାକୁ ପଡିଥାଏ, ତେଣୁ ତୁମେ ମୋ ମୋହଚୂର୍ଣ୍ଣ ନେଇ ସ୍ଵାମୀଙ୍କ ନିକଟକୁ ଯାତ୍ରା କର ।

MAA LAXMI

MAA LAXMI Photograph: (KANAKNEWS)

କନକ ବ୍ୟୁରୋ : ମହାଲକ୍ଷ୍ମୀ କହୁଛନ୍ତି ନନ୍ଦିଘୋଷକୁ ଆସିବନି ଆଉ ଯମା ଆର ରଥକୁ … ଅଭିମାନିନୀ ମା’ ସାଆନ୍ତାଣୀ ରୋଷ କରିଛନ୍ତି । ଘୋଷଯାତ୍ରାରେ ମ‌ହାପ୍ରଭୁ ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଉପେକ୍ଷା କରି ନିଜର ଭ୍ରାତା ଓ ଭଗିନୀଙ୍କ ସହ ରଥରେ ଗୁଣ୍ଡିଚା ଘରକୁ ଯାତ୍ରା କରିବା ଫଳରେ ସ୍ବାମୀ ବିରହ ବିଧୁରା ଲକ୍ଷ୍ମୀ ଠାକୁରାଣୀ ସ୍ଵକୀୟ ବିରହ ବ୍ୟଥା ଭଗିନୀକଳ୍ପା ବିମଳା ଦେବୀଙ୍କ ପାଖରେ ବର୍ଣ୍ଣନା କରି ପରାମର୍ଶ ଚାହିଁଥିଲେ । ବିମଳାଦେବୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ସାନ୍ତ୍ୱନା ବାକ୍ୟରେ ବୁଝାଇ କହିଥିଲେ ଯେ ସ୍ଵାମୀ ଯଦି କେବେ ବିବେକ ଶୂନ୍ୟ ହୋଇ ଅକରଣୀୟକୁ କରଣୀୟ ବୋଲି ମନେ କରନ୍ତି ତେବେ ତାଙ୍କୁ ଉଚିତ୍ ମାର୍ଗକୁ ଆଣିବାକୁ ପଡିଥାଏ, ତେଣୁ ତୁମେ ମୋ ମୋହଚୂର୍ଣ୍ଣ ନେଇ ସ୍ଵାମୀଙ୍କ ନିକଟକୁ ଯାତ୍ରା କର । 

maa
maa Photograph: (google)

ଦେବୀଙ୍କ ପରାମର୍ଶ କ୍ରମେ ରଥଯାତ୍ରାର ପଞ୍ଚମ ଦିବସରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ଘରକୁ ଯିବେ ଓ ଜଗନ୍ନାଥଙ୍କ ରଥରୁ ଖଣ୍ଡେ କାଠ ଭାଙ୍ଗିବେ । ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କର ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିଥିବାରୁ ପରେ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖ କରାଯିବା ନିମନ୍ତେ ଆଦେଶ ଦିଆଯିବ । ଯାହା ଫଳରେ ହେରା ପଞ୍ଚମୀର ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣମୋଡ଼ ହେବ । ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତ୍ତ୍ଵଲିପିରେ ହୋଇଥିବା ଉଲ୍ଲେଖ ଅନୁସାରେ ହେରା ପଞ୍ଚମୀ ଦିନ ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରନ୍ତି । ଏହା ପରେ ବନକ ଲାଗି, ପାଟ ଶାଢ଼ି, ଅଳଙ୍କାର ଇତ୍ୟାଦି ଲାଗି ହୋଇ ବେଶ ହେବା ପରେ ପୂଜାପଣ୍ଡା ସେବକଙ୍କ ଦ୍ଵାରା ପନ୍ତି ଭୋଗ ହୋଇଥାଏ । ତତ୍ପରେ ବଟବୃକ୍ଷ ତଳେ ରହିଥିବା ବିମାନକୁ ମା’ ଲକ୍ଷ୍ମୀ ବିଜେ କରିଥା’ନ୍ତି ।

maa-laxmi
maa-laxmi Photograph: (google)

‘ବିମାନବଡୁ’ ସେବକମାନେ ବିମାନକୁ ଧାରଣ କରି ଘଣ୍ଟ, କାହାଳି, ଛତା ସହ ସିଂହଦ୍ଵାର ଦେଇ ବଡ଼ଦାଣ୍ଡରେ ନେଇ ଗୁଣ୍ଡିଚା ଘର ସମ୍ମୁଖ ଜଗନ୍ନାଥ ମହାପ୍ରଭୁଙ୍କ ରଥ ପାଖରେ ରଖିଥା’ନ୍ତି । ଏଠାରେ ପତିମହାପାତ୍ର ପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ, ଘସା ବିଡ଼ିଆ ଓ ଦହି ପଟି ମଣୋହି କରନ୍ତି । ଏ ସମୟ ମଧ୍ୟରେ ଗୁଣ୍ଡିଚା ଘରେ ଠାକୁରଙ୍କର ମଧ୍ୟାହ୍ନ ଧୂପ ସରି ଶାଢ଼ି ଲାଗି ହୋଇ ଆଳତି ହୋଇଥାଏ । ଆଳତି ପରେ ଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରେ ପଞ୍ଚାମୃତ ମହାସ୍ନାନ ଓ ତିନି ବାଡ଼ରେ ସର୍ବାଙ୍ଗ ହୋଇ ବେଶ ବଢ଼େ । ତତ୍ ପରେ ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟବିଜୟ ଦ୍ଵାରକୁ ଆସିଥା’ନ୍ତି । ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ପୂଜା ବଢ଼ି ଧୂପ ଦୀପ ଦିଆଯାଇ ଟେରା ପଡ଼େ । ଏହା ପରେ ଲକ୍ଷ୍ମୀଙ୍କ ବିମାନ ଜଗମୋହନରୁ ନାକଚଣା ଦୁଆର ପାଖରେ ରହିଥାଏ । ସେଠାରେ ମହାପାତ୍ର ଗରାବଡୁ ସେବକଙ୍କଠାରୁ ହାତୁଆଣି ନେଇ ବନ୍ଦାପନା ଓ ଦହି ପଟି ମଣୋହି କରନ୍ତି । ଉପରୋକ୍ତ ନୀତି ଶେଷ ହେବାପରେ ଲକ୍ଷ୍ମୀଙ୍କ ବିମାନ ଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥ କାଠ ଖଣ୍ଡିଏ ଭାଙ୍ଗି ଦିଆଯିବା ପରେ ହେରା ଗୌରୀ ସାହି ବାଟେ ଲକ୍ଷ୍ମୀଙ୍କୁ ବଡ଼ ଦେଉଳକୁ ବାହୁଡ଼ା ବିଜେରେ ଅଣାଯାଏ । ଉଭୟ ଆସିବା ଓ ବାହୁଡ଼ା ବିଜେ ସମୟରେ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ମଠ, ସେବକ, ଜାଗା, ଆଖଡ଼ା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ବଡ଼ଦାଣ୍ଡ, ହେରା ଗୌରୀ ସାହି ଓ ମଠ ବିଜେ ସ୍ଥଳଠାରେ ପନ୍ତି ଭୋଗ କରାଯାଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe