କନକ ବ୍ୟୁରୋ : ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ସବୁ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସରକାରଙ୍କ ଦାୟିତ୍ୱ। ସେଥିପାଇଁ ମାଳମାଳ ଯୋଜନା ହୋଇଛି। ହେଲେ ଯୋଜନା ବାଟବଣା ହେବାରୁ ଦୁର୍ଦିନରେ କାଳ କାଟୁଛନ୍ତି ଅଭାବି ଅସହାସ ମଣିଷ। ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ସାଁପୁର ପଞ୍ଚାୟତ ଗୋବିନ୍ଦାପୋଖରୀ ଗାଁରେ ଅଛନ୍ତି ସେମିତି ଜଣ ଅସହାୟ ବୃଦ୍ଧ। ୭୦ବର୍ଷିୟ ବୃଦ୍ଧ। ଜରିପାଲ ଟଙ୍ଗା ଭଙ୍ଗା କୁଡ଼ିଆରେ ଜରାଜୀର୍ଣ୍ଣ ଅବସ୍ଥାରେ କାଳ କାଟୁଛନ୍ତି। ନା ପାଉଛନ୍ତି ଭତା, ନା ଅଛି ରାସନକାର୍ଡ ।  ପକ୍କାଘର ତାଙ୍କ ପାଇଁ ସାତସପନ । ଏଭଳି ପରିସ୍ଥିତି ସତ୍ତ୍ୱେ ପ୍ରଶାସନ ଏଠି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଛି। 
Advertisment
ଗୋବିନ୍ଦାପୋଖରୀ ଗାଁର ନିରଞ୍ଜନ ବାରିକ। ୩୦ ବର୍ଷ ତଳେ ସ୍ତ୍ରୀ, ପୁଅ ଓ ପରିବାରକୁ ହରାଇ ଏବେ ସଂପୂର୍ଣ୍ଣ ଏକା। ଓଳିଏ ଖାଇଲେ ଓଳିଏ ଉପାସ। ୧୯୯୯ ମହାବାତ୍ୟାରେ ଘର ଭାଙ୍ଗି ଯିବା ପରେ ସରକାରୀ ଜାଗାରେ କୁଡ଼ିଆଟିଏ କରି ରହୁଥିଲେ। ମୁଲମଜୁରି କରି ପେଟ ପୋଷୁଥିଲେ। ହେଲେ ଏବେ ବାର୍ଦ୍ଧକ୍ୟ କାରଣରୁ ଆଉ କାମଧନ୍ଦା କରିବା ସମ୍ଭବ ହେଉନାହିଁ। ଗାଁରେ ବୁଲି ଭିକ୍ଷା କରି ଖାଉଛନ୍ତି। ଘଞ୍ଚ ଜଙ୍ଗଲରେ ଏକ ଗଛମୂଳେ ଭଙ୍ଗା ଦଦରା ପାଲଟଙ୍ଗା କୁଡ଼ିଆରେ ରହୁଛନ୍ତି। ବର୍ଷା, ଶୀତ ଓ ସରୀସୃପଙ୍କ ଦାଉରୁ ନିଜକୁ ସୁରକ୍ଷା ଦେବା ନିରଞ୍ଜନଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି।
ନିରଂଜନଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ। ରାସନକାର୍ଡ ନାହିଁ କି ମିଳୁନି ବାର୍ଦ୍ଧକ୍ୟ ଭତ୍ତା। ପକାଘର କଥା ପଚାରେ କିଏ । ସେପଟେ ଜଗତସିଂହପୁର ବ୍ଲକ ଉପାଧ୍ୟକ୍ଷ କହିଛନ୍ତି ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ନିରଞ୍ଜନଙ୍କୁ ସରକାରୀ ସୁବିଧା ଯୋଗାଇ ଦିଆଯିବ।
ନିରଞ୍ଜନ ବାରିକଙ୍କ ପରି ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଶାସନ ତରଫରୁ ତୁରନ୍ତ ଆବଶ୍ୟକିୟ ମୌଳିକ ସୁବିଧା ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି।