କନକ ବ୍ୟୁରୋ: କ୍ୟାନ୍ସରରେ ପୀଡ଼ିତ ହୋଇ ଲିଭିଯାଇଛି ଜୀବନର ଲକ୍ଷ। ଅଧାରେ ରହିଯାଇଛି ଅନେକ ସ୍ବପ୍ନ । ଘରର ରୋଜଗାରିଆ ପୁଅ କ୍ୟାନ୍ସରରେ ପୀଡ଼ିତ ହୋଇ ଶଯ୍ୟାଶାୟୀ । ପୁଅର ଚିକିତ୍ସା ପାଇଁ କାନ୍ଦି କାନ୍ଦି ସରକାରଙ୍କୁ ହାତ ପତେଇଛି ମାଆ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକରୁ ଏମିତି ଏକ ହୃଦୟ ବିଦାରକ କାହାଣୀ ସାମନା କୁ ଆସିଛି ।
ମାର୍ଶାଘାଈ ବ୍ଲକ ପରକୁଳା ଗାଁର କୈଳାସ ଚନ୍ଦ୍ର ବେହେରା । ପରିବାର କହିଲେ ବୁଢ଼ି ମାଆ, ସ୍ତ୍ରୀ ଓ ତିନି ପିଲା। କୈଳାସ ଗାଁ ଗାଁ ବୁଲି ସାଇକେଲରେ ଇମିଟେସନ ସାମଗ୍ରୀ ବିକ୍ରୟ କରନ୍ତି । ସେଥିରେ ସଂସାର ଚଳେ । ହେଲେ ୨ ବର୍ଷ ହେଲା ସେଥିରେ ପୁନଛେଦ ପଡ଼ିଛି । ତାଙ୍କ ହସଖୁସିର ସଂସାରରେ ଦୁଃଖର କଳା ବାଦଲ ଘୋଟି ଆସି ଛି। କୈଳାସ ଏବେ କ୍ୟାନ୍ସର ପୀଡ଼ିତ । ରୋଗ ଛଡ଼େଇ ନେଇଛି ରୋଜଗାର । ଗାଁରେ ବୁଲି ବେପାର କରିବାକୁ ଶରୀରରେ ଶକ୍ତି ନାହିଁ । ରୋଜଗାର ନଥିବାରୁ ହାତରେ କାଣି କଉଡ଼ିଟିଏ ନାହିଁ । ଅର୍ଥ ଅଭାବରୁ କୈଳାସଙ୍କ ଚିକିତ୍ସା ଅଧାରେ ଅଟକି ଯାଇଛି ।
ମାଆ ଆଗରେ ଯନ୍ତ୍ରଣାରେ ଛଟପଟ ହେଉଛି ପୁଅ। ସ୍ତ୍ରୀ ସାମ୍ନାରେ ରୋଗରେ ଜୁଝି ହେଉଛନ୍ତି ସ୍ୱାମୀ । ଏଭଳି ସ୍ଥିତିରେ ବୁଢି ମାଆ ଭତ୍ତା ବାବଦରେ ପାଉଥିବା ହଜାର ଟଙ୍କା ପୁଅ କୈଳାସଙ୍କ ଚିକିତ୍ସାରେ ଲାଗୁଛି। ସ୍ତ୍ରୀ ସସ୍ମିତା ଗାଁ-ଗାଁ ବୁଲି ସ୍ବାମୀଙ୍କ ଚିକିତ୍ସା ପାଇଁ ସହାୟତା ମାଗୁଛନ୍ତି । ସେପଟେ ଖାଦ୍ୟ ସୁରକ୍ଷା ଯୋଜନାରେ ସସ୍ମିତା ଓ ତିନି ପିଲାଙ୍କ ନାମ ଅର୍ନ୍ତଭୁକ୍ତ ହୋଇପାରିବି । ଫଳରେ କୈଳାସ ଓ ମାଆଙ୍କୁ ମିଳୁଥିବା ୧୦ କେଜି ଚାଉଳରେ ସୀମିତ ସରକାରୀ ସହାୟତା । ନିଜର ରୋଜଗାର ନାହିଁ। ଚିକିତ୍ସା ମଧ୍ୟ ହୋଇପାରୁନାହିଁ । ଘରେ ରହି ପୁରୁଣା ଦିନକୁ ମନେ ପକାଇ ଆଖିରୁ ଲୁହ ଗଡାଉଛନ୍ତି କୈଳାସ ।