କନକ ବ୍ୟୁରୋ: ଅସହାୟ ଅବସ୍ଥାରେ ରାସ୍ତାକଡ଼ରେ ପଡ଼ିଥିଲେ । କେତେ ବର୍ଷା, କେତେ ଶୀତରାତି କାଟିଥିଲେ । ମାନସିକ ଭାରସାମ୍ୟ ଠିକ୍ ନଥିଲା । ଏଣେ ତେଣେ ବୁଲୁଥିଲେ । ଲୋକେ ଦେଖୁଥିଲେ, ହେଲେ ଭିକାରିଙ୍କୁ କିଛି ଖୁଚୁରା ପଇସା ଦେବା ପରେ ଆଉ କିଛି କରୁନଥିଲେ । ହେଲେ କୁହାଯାଏ, ଯାହାର କେହି ନାହିଁ, ତାର ମାଆ ଅଛନ୍ତି । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀଙ୍କ ଦୁଆରକୁ ଯିଏ ଆସିଛନ୍ତି, ସେ ସାହାରା ପାଇଛନ୍ତି ।
ଯେଉଁ ଥଣ୍ଡାରେ ଘରୁ ବାହାରିବା ମୁସ୍କିଲ, ସେଇ ଥଣ୍ଡାରେ ପଡ଼ି ରହିଥିଲେ ଜଣେ ବ୍ୟକ୍ତି । । ଦେଖିଲେ ବାରି ହୋଇ ପଡୁଥିଲା ଅସହାୟତା । ସେ ମାନସିକ ଭାବେ ବିକୃତ । ପୁଣି ଚାଲିବାର ଶକ୍ତି ନାହିଁ । ଭୂଇଁରେ ଭରାଦେଇ ଏଠୁ ସେଠିକି, ସେଠୁ ଏଠିକି ସେ ଘୋଷାଡ଼ି ହୋଇ ଯାଉଥିଲେ । କେଉଁଠୁ ଆସିଛନ୍ତି, କଣ ତାଙ୍କ ପରିଚୟ, କେହି ଜାଣି ନାହାନ୍ତି । ମା'ଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଦୟାକରି ତାଙ୍କୁ କିଛି ପଇସା ଦେଉଛନ୍ତି । ସେ ପଇସାର ମୂଲ୍ୟ ବୁଝି ନପାରି ଫିଙ୍ଗି ଦେଉଛନ୍ତି । ତାଙ୍କ ଗୋଡ଼ରେ କ୍ଷତସ୍ଥାନ ବି ରହିଛି । ତେବେ ମା'ଙ୍କ କରୁଣାରୁ ନିରାଶ୍ରୟ ବ୍ୟକ୍ତି ଜଣକ ଆଶ୍ରୟ ନେଇଥିବା ମଙ୍ଗଳା ମନ୍ଦିରର ପୂଜକ କହିଛନ୍ତି ।
ତେବେ ନିକଟରେ ଏହି ମାନସିକ ବିକୃତ ଅସହାୟ ବ୍ୟକ୍ତିଙ୍କୁ ସାବିତ୍ରୀ ଜନସେବା ମିଶନର ସଦସ୍ୟ ଉଦ୍ଧାର କରି କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି । କିଛି ଦିନ ହେଲା ସେ ଚଣ୍ଡୀ ମନ୍ଦିର ସମ୍ମୁଖରେ ଏମିତି ପଡ଼ିଥିଲେ। ଏବେ ସେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।