କନକ ବ୍ୟୁରୋ : ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଶଯ୍ୟାଶାୟୀ ହୋଇଛି ଘରର ଭେଣ୍ଡିଆ ପୁଅ । ସ୍ତ୍ରୀ ମୂଲ ଲାଗି ଘର ଚଳାଉଛି । ଦୃଷ୍ଟିହୀନ ମାଆ ଭିକ୍ଷା ମାଗି ପୁଅର ଚିକିତ୍ସା ପାଇଁ ପଇସା ଯୋଗାଡ଼ କରୁଛି । ହେଲେ ସେଇ ଭିକ ପଇସାରେ ପୁଅର ଚିକିତ୍ସା ସମ୍ଭବ ନୁହେଁ । ନିଜ ପୁଅର ଚିକିତ୍ସା ପାଇଁ ସହାୟତା ଲୋଡ଼ିଛନ୍ତି ବୁଢ଼ୀ ମାଆ । ଯାଜପୁର ବିଣାପାଟିଆ ଗାଁରୁ ଆସିଛି ଏଭଳି ଏକ ଦୁଃଖଦ ଖବର ।
ଯାଜପୁର ଦାନଗଦି ବ୍ଲକ ବୀଣାପାଟିଆ ଗାଁର ନିରଞ୍ଜନ ନାୟକ । ରାଜମିସ୍ତ୍ରୀ କାମ କରି ବାପା, ଦୃଷ୍ଟିହୀନ ମାଆ, ସ୍ତ୍ରୀ, ୨ପିଲାଙ୍କ ମୁହଁରେ ଦାନା ଦେଉଥିଲେ । ହେଲେ ୨୦୨୪ ମକର ସଂକ୍ରାନ୍ତି ଦିନ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ନିରଞ୍ଜନ । ସେବେଠୁ ଆଉ ବିଛଣାରୁ ଉଠି ନାହାନ୍ତି । ଡାକ୍ତର କହୁଛନ୍ତି ବେକ ପାଖରେ ୩ଟି ଶିର ଦବି ଯାଇଛି । ଚିକିତ୍ସା କଲେ ଭଲ ହୋଇପାରିବେ । କିନ୍ତୁ ଅର୍ଥାଭାବରୁ ଡାକ୍ତରଖାନା ନଯାଇ ଘରେ ପଡ଼ି ରହିଛନ୍ତି ନିରଞ୍ଜନ ।
ଦୃଷ୍ଟିହୀନ ମାଆ ଘର ଘର ବୁଲି ଭିକ ମାଗି ପୁଅର ଚିକିତ୍ସା ପାଇଁ ପଇସା ସଞ୍ଚୟ କରୁଛି । ହେଲେ ତାହା ସମୁଦ୍ରକୁ ଶଙ୍ଖେ । ସ୍ତ୍ରୀ ପର ଘରେ ମୂଲ ଲାଗି ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳିବା କଷ୍ଟ । ଏଭଳି ସ୍ଥିତିରେ ପୁଅର ଚିକିତ୍ସା ପାଇଁ ସହାୟତା ଭିକ୍ଷା କରିଛନ୍ତି ମାଆ । ଯଦି ଆପଣମାନେ ନିରଞ୍ଜନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ମୋବାଇଲ ନଂ ୯୧୭୮୬୯୨୭୨୩ରେ ଯୋଗାଯୋଗ କରିବାକୁ ଅନୁରୋଧ ।