କନକ ବ୍ୟୁରୋ: ଦିବ୍ୟାଙ୍ଗ ପରିବାର ପାଇଁ ନାହିଁ ରାସନ, ଭତ୍ତା କି  ଆବାସ । ପାଞ୍ଚ ପାଞ୍ଚଟା ଭେଣ୍ଡିଆ ପୁଅ ଥାଇ ଅସହାୟ ବୁଢ଼ା ବାପା। କାରଣ, ସବୁ ପୁଅ ଦିବ୍ୟାଙ୍ଗ। ଏମିତି ଦୁଃଖଦ କାହାଣୀ ଆସିଛି ଭଦ୍ରକ ଭଣ୍ଡାରିପୋଖରୀରୁ । 

Advertisment

ଭଣ୍ଡାରିପୋଖରୀର ବିନ୍ଧାଣୀ ଗ୍ରାମରେ ରୁହନ୍ତି ହୃଦାନନ୍ଦ ସାମଲଙ୍କ ପରିବାର । ଘରେ ପାଞ୍ଚ ପାଞ୍ଚଟା ଭେଣ୍ଡିଆ ପୁଅ । କାହାକୁ ବିଲକୁଲ୍ ଦେଖା ଯାଉନି ତ ଆଉ କାହାର ସ୍ୱଳ୍ପ ଦୃଷ୍ଟିଶକ୍ତି । ୩ ପୁଅ ବିବାହିତ ଏବଂ ଅନ୍ୟ ଦୁଇ ଜଣ ଅବିବାହିତ । ହୃଦାନନ୍ଦ ମୂଲ ଲାଗିଲେ, ଘର ଚଳେ । ଏହି ଦୁଃଖୀ ପରିବାର ପାଇଁ ରାସନ, ଭତ୍ତା ଓ ଆବାସ ମନା । ପୁଅମାନଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ମିଳିଛି । କିନ୍ତୁ ରାସନ କାର୍ଡ, ଭିନ୍ନକ୍ଷମ ଭତ୍ତା ଓ ଆବାସ ତାଲିକାରେ ଅର୍ନ୍ତଭୁକ୍ତ ହୋଇପାରି ନାହାନ୍ତି । 
 

୧୯୯୭ରେ ହୃଦାନନ୍ଦଙ୍କ ପରିବାରକୁ ବିପିଏଲ କାର୍ଡ଼ରେ ଟଙ୍କିକିଆ ଚାଉଳ ମିଳୁଥିଲା । ଆଜିଯାଏଁ ରାସନ କାର୍ଡ଼ ହୋପାରିଲାନାହିଁ । ବ୍ଲକକୁ ଦଉଡି ଦଉଡ଼ି ହତାଶ ହୋଇଛନ୍ତି ହୃଦାନନ୍ଦ । ଏ ସମ୍ପର୍କରେ ଭଣ୍ଡାରିପୋଖରୀ ବିଡ଼ିଓଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଯଦି ତୁରନ୍ତ ଏହି ୫ ଦିବ୍ୟାଙ୍ଗ ଯୁବକଙ୍କର ଭତ୍ତା, ରାସନ କାର୍ଡ଼ କରିଦିଆଯାଏ ତେବେ ଏମାନେ ଉପକୃତ ହୋଇପାରନ୍ତେ।