କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା କେତେ କଡ଼ାକଡ଼ି । ରାଜରାସ୍ତାରେ ମୁଣ୍ଡ ଗଡୁଛି । ଭିଆଇପିଙ୍କ ଘରୁ ଚୋରି ହେଉଛି । କିନ୍ତୁ ଦୀର୍ଘଦିନ ପରେ ବି ପୁଲିସ ହାତ ଖାଲି । ପୁଲିସ ଅନ୍ଧାରରେ ବାଡ଼ି ବୁଲାଉଛି । ଲୋକ ଘର ଭିତରେ ଥାଇ ବି ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ରାଜଧାନୀରେ କମିସନରେଟ୍ ପୁଲିସ ଅସହାୟ । ପାଦେପାଦେ ବିପଦ, ଲୋକେ ଭୟଭୀତ । ଘର ଭିତରେ ଲୁଟେରାଙ୍କ ଆତଙ୍କ, ବାହାରେ ଗଡୁଛି ମୁଣ୍ଡ ।
ବହୁଚର୍ଚ୍ଚିତ ସହଦେବ ନାୟକ ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଲା । ରାସ୍ତାରେ ରକ୍ତର ହୋଲି ଖେଳିଲେ ହତ୍ୟାକାରୀ । ସକାଳୁ ସକାଳୁ ସହଦେବଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲେ । ୧୨ ଘଣ୍ଟା ଭିତରେ ୫ ଅଭିଯୁକ୍ତଙ୍କୁ ପୁଲିସ ବାନ୍ଧିଲା । କିନ୍ତୁ ପୁଲିସକୁ ଚକମା ଦେଇ ମାଷ୍ଟରମାଇଣ୍ଡ ଛୁ ମାରିଲା । ତେବେ ୨୪ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତକୁ ନବାନ୍ଧିଲେ ଦୁଇ ପିଲାଙ୍କ ସହ ବିଧାନସଭା ଆଗରେ ଧାରଣା ଦେବାକୁ ସହଦେବଙ୍କ ପତ୍ନୀ ଚେତଚାବନୀ ଦେଇଛନ୍ତି ।
ଏ ତ ଗଲା ରାଜରାସ୍ତାର କଥା । କଂଗ୍ରେସର ଭେଟେରାନ ଲିଡର ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇ ଦେଲେ ଲୁଟେରା । ନୟାପଲ୍ଲୀ ଘରେ ସୁରକ୍ଷାକର୍ମୀ ଓ ମାଳମାଳ ସିସିଟିଭି ଖଞ୍ଜା ଯାଇଥିବା ସତ୍ତ୍ୱେ ଲୁଟ ହୋଇଗଲା । ଏହାର ଦୁଇଦିନ ପରେ ପୁଣି ଲୁଟେରା ତାଙ୍କ ପଶି ଆତଙ୍କ ଖେଳାଇବାକୁ ଯୋଜନା କଲେ । ଲୋକମାନେ ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ। ହେଲେ ପୁଲିସ ନାକରେ ପାଣି ପିଇଲା । ଜଣେ ଲୁଟେରାକୁ ଧରିବାକୁ ପୁଲିସ କମିସନର, ଦୁଇ ସହରର ଡିସିପି, ସ୍ପେସାଲ ସ୍କ୍ୱାଡ୍, ସ୍ପେଶାଲ କ୍ରାଇମ ୟୁନିଟ ସହ ଆଇଆଇସି ଓ ଏସିପିଙ୍କୁ ତଦନ୍ତରେ ସାମିଲ କରାଗଲା । ହେଲେ ଫଳ ଶୁନ । ଯାହାକୁ ନେଇ ରାଜଧାନୀର ସୁରକ୍ଷାକୁ ନେଇ ନିରଞ୍ଜନ ପ୍ରଶ୍ନ ଉଠାଇଛନ୍ତି ।
କମିସନରେଟ ପୁଲିସରେ ବଛା ବଛା ଅଫିସର ଅଛନ୍ତି । ସବୁଠାରୁ ଶକ୍ତିଶାଳୀ କୁହାଯାଉଥିବା ଏହି ଟିମ୍ ରାଜଧାନୀ ଜଗିଛନ୍ତି କିନ୍ତୁ ବର୍ଷ ଆରମ୍ଭରୁ ହତ୍ୟାକାରୀ ଓ ଲୁଟେରାଙ୍କ ଦୌରାତ୍ମ୍ୟ ପୁଲିସର ଅସହାୟ ଅବସ୍ଥାକୁ ପଦାରେ ପକାଇଛି । ଏହିସବୁ ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା- ଆଇସିୟୁରେ ସୁରକ୍ଷା ବ୍ୟବସ୍ଥା ଆଉ କୋମାରେ କମିସନରେଟ ପୁଲିସ ।