କନକ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧରେ ଏବେ ସାମାନ୍ୟ ବ୍ରେକ୍ ଲାଗିଥିବା ବେଳେ, ଇସ୍ରାଏଲ ଓ ଇରାନ ମଧ୍ୟରେ ବଡ଼ ଧରଣର ଯୁଦ୍ଧ ଆରମ୍ଭ ହେଲାଣି । ଶୁକ୍ରବାର ଇରାନ ଉପରେ ହୋଇଥିବା ଆକ୍ରମଣରେ ୯ ଜଣ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରତିଶୋଧ ନିଆଁରେ ଜଳୁଛି ଇରାନ୍ । ଯଦି ଇରାନ କିଛି ଆକ୍ରମଣ ଘଟାଏ ତେବେ ଚୁପ୍ ବସିବନି ଇସ୍ରାଏଲ, ପ୍ରତିରକ୍ଷା ମନ୍ତ୍ରୀ କହିସାରିଛନ୍ତି, ତେହେରାନକୁ ଜାଳିଦେବୁ ।
ଇସ୍ରାଏଲର ଏୟାର ଷ୍ଟ୍ରାଇକର ଜବାବରେ ଇରାନ୍ ଶୁକ୍ରବାର ରାତିରେ ତେଲ୍ ଅବିବ୍ ସମେତ ଇସ୍ରାଏଲର ବିଭିନ୍ନ ସ୍ଥାନକୁ ଶତାଧିକ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଛି । ଇରାନର ସୁପ୍ରିମ୍ ଲିଡର ଆୟାତୋଲା ଅଲି ଖାମେନେଇ ଏହାକୁ ଇସ୍ରାଏଲର “ମହାନ୍ ଅପରାଧ” ବୋଲି କହି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ । ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥା ଆଇରନ୍ ଡୋମ୍ ଅନେକ ମିସାଇଲକୁ ଅଟକାଇଥିଲେ ମଧ୍ୟ ତେଲ୍ ଅବିବ୍ରେ ୭ଟି ସ୍ଥାନରେ ମିସାଇଲ୍ ମାଡ଼ ହୋଇଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନର ଆକ୍ରମଣକୁ ଅସ୍ତିତ୍ୱ ପାଇଁ ପ୍ରତିରକ୍ଷା ବୋଲି କହି ଆହୁରି ଆକ୍ରମଣାର ସମ୍ଭାବନା ଥିବା ସଙ୍କେତ ଦେଇଛନ୍ତି । ଅନ୍ୟପକ୍ଷରେ, ଇରାନର ରାଜଧାନୀ ତେହେରାନ୍ରେ ମଧ୍ୟ ସକାଳେ ବିସ୍ଫୋରଣର ଖବର ମିଳିଛି । ଇରାନର ଦାବି ଅନୁଯାୟୀ, ଇସ୍ରାଏଲର ଆକ୍ରମଣରେ ୭୮ ଜଣ ନିହତ ଓ ୩୨୦ରୁ ଅଧିକ ଆହତ ହୋଇଛନ୍ତି । ଜାତିସଂଘ ମହାସଚିବ ଆନ୍ତୋନିଓ ଗୁଟେରେସ୍ ଉତ୍ତେଜନା ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ସେପଟେ ମେଜର ଜେନେରାଲ ଅମୀର ହାତାମୀଙ୍କୁ ନୂଆ ସେନାମୁଖ୍ୟ ଭାବେ ନିଯୁକ୍ତ କରିଛି ଇରାନ ।
ଉଗ୍ର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ
ଇସ୍ରାଏଲ ପୁଣିଥରେ ତେହେରାନର ସାମରିକ ସ୍ଥାନଗୁଡ଼ିକୁ ଟାର୍ଗେଟ୍ କରିଛି
ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆକ୍ରମଣକୁ ଆରମ୍ଭ ମାତ୍ର କହିଲେ
ଇରାନର ଦାବି ଅନୁଯାୟୀ, ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି
ଆୟାତୋଲ୍ଲା ଖାମିନେଇ ପ୍ରତିଶୋଧର ଚେତାବନୀ ଦେଇଛନ୍ତି
ପ୍ରତିଶୋଧ ନିଆଁରେ ଜଳୁଛି ଇରାନ୍
ଇସ୍ରାଏଲ କହିଲା ‘ଜଳିଯିବ ତେହେରାନ’
ମୋସାଦ ଇରାନର ସାମରିକ ଓ ପରମାଣୁ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣର ଭିଡିଓ ପ୍ରକାଶ କରିଛି । ପ୍ରତିଶୋଧ ନିଆଁରେ ଜଳୁଛି ଇରାନ, ରିଭଲ୍ୟୁସନାରି ଗାର୍ଡ ମୁଖ୍ୟ କହିଛନ୍ତି, ଆମେ ଏହାର ଜବାବ ଦେବୁ । ସମୟ ଓ ସ୍ଥାନ ଆମେ ବାଛିବୁ । ଇସ୍ରାଏଲ୍ ସାମରିକ ଅଧିକାରୀ କହିଛନ୍ତି, ଇରାନ ୪ଟି ବ୍ୟାରେଜରେ ଇସ୍ରାଏଲ ଆଡ଼କୁ ପ୍ରାୟ ୨୦୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ପ୍ରତିରକ୍ଷା ମନ୍ତ୍ରୀ କାଟଜ୍ କହିଛନ୍ତି, ଯଦି ଇରାନ୍ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରେ ତେବେ ତେହେରାନ ଜଳିବ । ସେପଟେ ଇରାନ ଆମେରିକା, ୟୁକେ, ଫ୍ରାନ୍ସକୁ ଇସ୍ରାଏଲ ଉପରେ ଆକ୍ରମଣକୁ ରୋକିବା ପାଇଁ ପରାମର୍ଶ ନଦେବାକୁ ଚେତାବନୀ ଦେଇଛି । ଇରାନ ଗଣମାଧ୍ୟମ ଅନୁସାରେ, ଇରାନ ତିନୋଟି ଦେଶକୁ ସୂଚନା ଦେଇଛି ଇସ୍ରାଏଲ ବିରୁଦ୍ଧରେ ଅଧିକ ବ୍ୟାପକ ଆକ୍ରମଣ କରାଯିବ । ଯଦି ଏହି ଦେଶଗୁଡ଼ିକ ଇସ୍ରାଏଲକୁ ସହାୟତା କରନ୍ତି, ତେବେ ମଧ୍ୟପ୍ରାଚ୍ୟରେ ଥିବା ସେମାନଙ୍କର ସାମରିକ ଘାଟି ଏବଂ ଜାହାଜଗୁଡ଼ିକୁ ଟାର୍ଗେଟ କରାଯିବ ବୋଲି ଇରାନ ଧମକ ଦେଇଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଇରାନୀ ଜନତାଙ୍କୁ ଆହ୍ୱାନ ଦେଇ କହିଛନ୍ତି, ଦୁଷ୍ଟ ଓ ଅତ୍ୟାଚାରୀ ଶାସନରୁ ମୁକ୍ତି ପାଇଁ ଏକଜୁଟ ହୁଅନ୍ତୁ । ନେତ୍ୟାନ୍ୟାହୁ ଇରାନୀ ସରକାରଙ୍କୁ ଏକ ଦମନକାରୀ ଶାସନ କହି ଜନତାଙ୍କୁ ସ୍ୱାଧୀନତା ପାଇଁ ସଂଗ୍ରାମ କରିବାକୁ ଅନୁପ୍ରେରଣା ଦେଇଛନ୍ତି ।