କନକ ବ୍ୟୁରୋ: ଅହମଦାବାଦ ବିମାନ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଏବେ ଉତ୍ତରାଖଣ୍ଡ କେଦାରନାଥରୁ ସାମ୍ନାକୁ ଆସିଛି ହେଲିକପ୍ଟର ଦୁର୍ଘଟଣାର ଖବର । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ପାଇଲଟ୍ ଏବଂ ଗୋଟିଏ ଛୋଟ ପିଲା ସମେତ ୭ ଜଣ ପ୍ରାଣ ହରାଇଛନ୍ତି । କେଦାରନାଥ ଧାମରୁ ଗୁପ୍ତକାଶୀ ଅଭିମୁଖେ ଉଡ଼ାଣ ଭରୁଥିବା ଆର୍ଯ୍ୟାନ ଆଭିଏସନ୍ର ଏକ ହେଲିକପ୍ଟର ଗୌରୀକୁଣ୍ଡ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପଛରେ ଖରାପ ପାଗକୁ କାରଣ ବୋଲି କୁହାଯାଉଛି । କେଦାରଘାଟିରେ ଘନ କୁହୁଡ଼ି ଏବଂ ପ୍ରବଳ ପବନ ଯୋଗୁଁ ହେଲିକପ୍ଟରଟି ରାସ୍ତା ନପାଇବା ସହ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ମୃତ ଯାତ୍ରୀ ମାନେ ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ହୋଇଥିବା ପରିଚୟ ମିଳିଛି ।