କନକ ବ୍ୟୁରୋ : ଚାଷୀକୁ ସମସ୍ୟା ପିଛା ଛାଡୁନି । କେତେବେଳେ ସ୍ୱଳ୍ପ ବୃଷ୍ଟି ପାତ ତ ଆଉ କେତେବେଳେ ରୋଗ ପୋକର ପ୍ରାଦୁର୍ଭାବ । ପ୍ରତିବର୍ଷ ଫସଲ ନଷ୍ଟ ହୋଇ ସର୍ବସ୍ବାନ୍ତ ହୋଇପଡୁଛି ଚାଷୀ । ଚଳିତ ବର୍ଷ କିଛି ବର୍ଷା ହୋଇଥିଲେ ବି ଭଲ ଫସଲ ଆଶା ରଖିଥିଲା ଚାଷୀ । ହେଲେ ରୋଗପୋକ ସାଧୁଛି ଦାଉ । କଳାହାଣ୍ଡି କୋକସରା ବ୍ଲକର ୮୦ ପ୍ରତିଶତ ଲୋକଙ୍କ ଜୀବନ ଜୀବିକା ଚାଷ । ପ୍ରାୟ ୨୨ ପଞ୍ଚାୟତରେ ଖରିଫ ଧାନ ଚାଷ ହୋଇଛି । ଧାନ ଥୋଡ଼ ବାହାରିବା ସମୟରେ ଚାଷଜମିରେ ବିପିଏଚ ରୋଗ ପୋକର ପ୍ରାଦୁର୍ଭାବ ଚାଷୀଙ୍କ ଚିନ୍ତା ବଢାଇଛି । କୃଷି ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ପରାମର୍ଶ ପରେ ଅନେକ ନାମିଦାମୀ କମ୍ପାନୀର କୀଟନାଶକ ପ୍ରୟୋଗ କରାଯାଇଛି । ହେଲେ ରୋଗ କାବୁ ହେଉନଥିବା  ବେଳେ ଏଚ ରୋଗପୋକ ମାଡିଚାଲିଛି  । ଯାହା ଚାଷୀଙ୍କ ଚିନ୍ତା ବଢାଉଛି । 

Advertisment

ଚାଷୀ କିଭଳି ଋଣ ସୁଝିବେ ବର୍ଷସାରା ପରିବାର କିଭଳି ଚଳାଇବେ ସେ ନେଇ ଚିନ୍ତାରେ ପଡିଛନ୍ତି । ବିପିଏଚ ରୋଗପୋକର ଦମନ ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ପୂର୍ବରୁ ସଚେତନ କିମ୍ବା ଭିଏଲଡବ୍ଲୁ କର୍ମଚାରୀମାନେ ସଠିକ ପରାମର୍ଶ ଦେଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ବ୍ଲକର ୭୯ ହେକ୍ଟର ଜମିରେ ରୋଗର ପ୍ରାଦୁର୍ଭାବ ଦେଖାଦେଇଛି । କିଛି ନିୟନ୍ତ୍ରଣ ହୋଇ ସାରିଛି ଓ କିଛି ମାତ୍ରାରେ ବିପିଏଚର ପ୍ରଭାବ ରହିଛି । ଚାଷୀର ଚିନ୍ତା ବଢି ବଢି ଚାଲିଥିବା ବେଳେ ଅଭିଯୋଗ ପାଇ ଗୁରୁତ୍ବ ଦେବାକୁ ମିଳିଛି ପ୍ରତିଶ୍ରୁତି । ବର୍ଷକର ଆହାର ଉଜୁଡି ଯାଉଥିବା ବେଳେ ଏଥିପ୍ରତି ଗୁରୁତ୍ବ ଦିଆଯାଇ ଚାଷୀଙ୍କୁ ସାହାଯ୍ୟ ଯୋଗାଇବା ଜରୁରୀ ହୋଇଛି ।