କନକ ବ୍ୟୁରୋ : ନୂଆ ବର୍ଷର ପ୍ରଥମ ଦିନରେ ଜଗା ଦର୍ଶନ କରି ଭାବବିହ୍ୱଳ ଶ୍ରଦ୍ଧାଳୁ । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ୪ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ । ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ବ୍ୟାରିକେଡ଼ ଭାଙ୍ଗି ଭିତରକୁ ଧସେଇ ପଶିଥିଲେ ଶ୍ରଦ୍ଧାଳୁ । ଏପଟେ ଭିଡ଼ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ଥିବା କହି ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ଶାସକ ଦଳ ମଧ୍ୟ ଏହାର ଜବାବ ରଖିଛି ।
ଇଂରାଜୀ ଜଗା ଦର୍ଶନରୁ ନୂଆବର୍ଷ ଆରମ୍ଭ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ଯୋଗୁଁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼ ହୋଇଛି । ରାତି ଗୋଟାଏରୁ ଜଗା ଦର୍ଶନ ପାଇଁ ଲମ୍ବା ଲାଇନ୍ ଲାଗିଥିଲା । ମାର୍କେଟ ଛକ ଯାଏଁ ହୋଇଥିବା ସେଡ୍ ଠାରୁ ବି ଆଗକୁ ଲମ୍ବିଥିଲା ଧାଡ଼ି । ଉଭୟ ବାହାର କାଠ ଓ ଭିତର କାଠ ଦର୍ଶନ କରି ଭାବ ବିହ୍ୱଳ ହୋଇଥିଲେ ଶ୍ରଦ୍ଧାଳୁ । ତେବେ ଭିଡକୁ ଦେଖି ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହୋଇଛି । ସିଂହଦ୍ବାର ସମ୍ମୁଖରେ ଅଭାବୀନୟ ପରିସ୍ଥିତି ଉପୁଜିଛି । ବ୍ୟାରିକେଡ୍ ଭାଙ୍ଗି ପୋଲିସକୁ ଧକ୍କା ଦେଇ ଶ୍ରୀମନ୍ଦିରକୁ ଧସେଇ ପଶିଛନ୍ତି ଭକ୍ତ । ଏତେ ସଂଖ୍ୟାରେ ଭକ୍ତଙ୍କ ଆଗମନକୁ ନିୟନ୍ତ୍ରଣ କରିବା ପୁଲିସ ପକ୍ଷେ କାଠିକର ପାଠ ହୋଇଛି । ତେବେ କ୍ରାଉଡ୍ ମ୍ୟାନେଜମେଣ୍ଟ କରିବାରେ ସଫଳ ହୋଇଛି ବୋଲି ପୁରୀ ଏସପି କହିଛନ୍ତି ।
ଭିଡକୁ ନଜରରେ ରଖି ବର୍ଷର ପ୍ରଥମ ଦିନରେ ନୀତି ସଅଳ ଉପରେ ଗୁରୁତ୍ବ ଦିଆଯାଇଥିଲା । ରାତି ଗୋଟାଏ ୫ରୁ ଦ୍ଵାର ଫିଟା, ଗୋଟାଏ ୪୫ରୁ ମଙ୍ଗଳ ଆଳତି, ପୂର୍ବାହ୍ନ ୧୧ଟା ୩୫ ସୁଦ୍ଧା ମଧ୍ୟାହ୍ନ ଧୂପ ସରିଥିଲା । ସେହିପରି ମହୋଦଧିରେ ଉଦିତ ସୂର୍ଯ୍ୟଙ୍କୁ ଦେଖି ନବବର୍ଷରେ ପୁଲକିତ ହୋଇଥିଲେ ଭକ୍ତ । ବେଳାଭୂମିର ୧୪ଟି ସେକ୍ଟର ନୋ ବାଥିଂ ଜୋନରେ ଲାଗିଥିଲା ନାଲି ପତାକା ।
ଏପଟେ ଅସମ୍ଭାଳ ଭିଡ଼କୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେଡି କହିଛି, ସରକାର ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ବିଜେପି କହିଛି, ଦର୍ଶନ ପ୍ରକ୍ରିୟା ଶୃଙ୍ଖଳିତ ଚାଲିଛି । ୨୦ରୁ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ । ଉଭୟ ବେଳାଭୂମି ଓ ଶ୍ରୀମନ୍ଦିରରେ ପର୍ଯ୍ୟଟକ ସୁରକ୍ଷିତ ଭାବରେ ନୂଆବର୍ଷ ମନାଇଥିବା ବେଳେ ହୋଟେଲ ଗୁଡିକରେ ଜିରୋ ନାଇଟ୍ ସେଲିବ୍ରେସନ୍ ବି ହୋଇଥିଲା ଇନ୍ସିଡେଣ୍ଟ ଫ୍ରି । ଇଂରାଜୀ ନବବର୍ଷର ଭାରତୀୟ କରଣ ହୋଇଥିବା ବେଳେ ଭାରତୀୟ ସଂସ୍କୃତି ଅନୁସରଣରେ ନବ ବର୍ଷ ମନାଇଛନ୍ତି ଲୋକେ ।