କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଧସିଲା ମାଟି ଅତଡ଼ା । ମାଟି ଅତଡ଼ା ରାସ୍ତା ଉପରେ ପଡ଼ିବାରୁ ନାରାୟଣପାଟଣା ଓ ଦମନଯୋଡ଼ି ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ଦାମନଯୋଡ଼ି ଓ ନାରାୟଣପାଟଣାକୁ ସଂଯୋଗ କରୁଥିବା ବିଜାଘାଟି ଏବଂ କେରେଙ୍ଗା ପାହାଡ଼ ରାସ୍ତା ନିକଟରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି । ଫଳରେ ଗାଡ଼ି ମଟର ଯାତାୟାତ ଏକ ପ୍ରକାର ଠପ୍ ହୋଇଯାଇଛି । ଗତକାଲି କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନାରାୟଣପାଟଣା ସମେତ ସେମିଲିଗୁଡ଼ା ବ୍ଲକରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିଥିବା ଖବର ଆସିଛି ।

Advertisment

ଲଗାଣ ବର୍ଷାରେ ବୁଡ଼ିଲା ପୋଲ । ମାଲକାନଗିରି କାଲିମେଳା ଏମଭି ୯୬ରେ ପୋଲ ଉପରେ ଚାଲୁଛି ୩ ଫୁଟର ପାଣି । ଏହି ବ୍ରିଜ୍ ବୁଡ଼ିବା ଫଳରେ କାଲିମେଳା-ମୋଟୁ ୩୨୬ ଜାତୀୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଛି । ପୋଲର ଉଭୟ ପଟେ ଅଟକି ରହିଛି ଅନେକ ଗାଡ଼ି । ପୋଲ ଉପରେ ବନ୍ୟା ପାଣି ଚାଲୁଥିବାରୁ ପାରି ହେବାକୁ ଡର ଲାଗୁଛି । ସବୁବେଳେ ଲଗାଣ ବର୍ଷା ହେଲେ ଏହି ପୋଲ ବନ୍ୟା ପାଣିରେ ବୁଡିଯାଏ । ବିଡ଼ମ୍ବନାର କଥା ହେଲା ଏହି ନାଳ ଉପରେ ଆଉ ଏକ ବଡ଼ ବ୍ରିଜ୍ ନିର୍ମାଣଧିନ ଅବସ୍ଥାରେ ପଡ଼ି ରହିଛି । ୩ ବର୍ଷ ହେଲାଣି ଏହି ନୂତନ ବ୍ରିଜର କାମ ଆରମ୍ଭ ହୋଇଛି ହେଲେ ଶେଷ ହୋଇ ପାରି ନାହିଁ । ଫଳରେ ଏଠାକାର ଲୋକ ବର୍ତ୍ତମାନ ଏହି ଛୋଟ ପୋଲ ଉପରେ ନିର୍ଭର କରୁଛନ୍ତି । ହେଲେ ସାମାନ୍ୟ ବର୍ଷାରେ ଏହି ପୋଲ ଏଭଳି ବୁଡ଼ିଯାଉଛି । ଆଉ ସ୍ଥାନୀୟ ଲୋକଙ୍କ ଯାତାୟତରେ ବାଧା ଉପୁଜୁଛି ।