କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା। ଆନ୍ଧ୍ରରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ବନ୍ୟା ପାଣିରୁ ଲୋକଙ୍କୁ ଉଦ୍ଧାର କରାଯିବା ସହ କଂଟ୍ରୋଲ ରୁମ ଖୋଲାଯାଇଛି। ବର୍ଷା ପାଇଁ ତେଲେଙ୍ଗାନାରେ ହାଇ ଆଲର୍ଟ ଜାରି କରାଯାଇଛି। ଲଗାତର ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଦୁଇ ରାଜ୍ୟରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି। ଅଧିକାଂଶ ତଳିଆ ଅଞ୍ଚଳରେ ପାଣି ପଶିଛି। ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଟ୍ରେନ ସେବା ବି ପ୍ରଭାବିତ ହୋଇଛି। ତେଲେଙ୍ଗାନା ମେହବୁବାବାଦରେ ରେଳଟ୍ରାକ ଧୋଇଯାଇଛି। ପ୍ରବଳ ବର୍ଷାରେ ରେଳଟ୍ରାକ ଧୋଇଯିବା ପରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେଲେଙ୍ଗାନାରେ ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ଗୁଡ଼ିକୁ ଛୁଟି କରିଦିଆଯାଇଛି। ସେହିପରେ ଆନ୍ଧ୍ରପ୍ରଦେଶରେ ବି ଲଗାଣ ବର୍ଷା ଯୋଗୁଁ ସବୁଆଡ଼େ ପାଣି ଜମିରହିଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ମଧ୍ୟ ସୂଚନା ମିଳିଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଏହାସହ ପାଣି ଭିତରେ ଫସିରହିଥିବା ପ୍ରାୟ ୮୦ଜଣଙ୍କୁ ଉଦ୍ଧାର କରାଯାଇଛି। ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଗାମୀ ୨ରୁ ୩ଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଫଳରେ ସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କା କରାଯାଉଛି।