କନକ ବ୍ୟୁରୋ : ଲଗାଣ ବର୍ଷାର ପ୍ରଭାବ ପରିବା ବଜାର ଉପରେ ପଡ଼ିଛି । ପରିବା କିଣିବାକୁ ସାଧାରଣ ଲୋକେ ଏବେ ଭୟ ଅନୁଭବ କରୁଛନ୍ତି । କାରଣ କଞ୍ଚା ପରିବାର ଦର ୬୦ରୁ ୮୦ ଟଙ୍କା ପର୍ଯ୍ୟନ୍ତ ଗଲାଣି । ଏମିତିକି ଟମାଟର ,ବାଇଗଣ , ଜହ୍ନି ଏବଂ ପୋଟଳର ଦର ୫୦-୬୦ ଟଙ୍କା ହୋଇଥିବା ବେଳେ ବିନ୍ସ ଏବଂ କାଙ୍କଣର ଦର ୧୦୦ ଟଙ୍କା ଉପରେ । ଏ ଅବସ୍ଥା କେବଳ ଭୁବନେଶ୍ୱର କିମ୍ବା କଟକରେ ନୁହେଁ ବରଂ ସାରା ରାଜ୍ୟରେ । ଏହା ସହ ମାଛ , ଅଣ୍ଡା , ଚିକେନ୍ ବି ମହଙ୍ଗା । ସାଧାରଣ ଲୋକେ ବଜାରକୁ ଗଲେ ପରିବା କିଣିବାକୁ ଡରିଲେଣି ।
ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଏବଂ ସାରା ରାଜ୍ୟରେ ବର୍ଷା ହେଉଥିବାବେଳେ ପରିବା ଦର ଏବେ ଆକାଶ ଛୁଆଁ । କୁହାଯାଉଛି ଯେ ଶୀତଳ ଭଣ୍ଡାରର ବ୍ୟବସ୍ଥା ନଥିବାରୁ ପନିପରିବାକୁ ରଖାଯାଇ ପାରୁନାହିଁ । କିନ୍ତୁ ଅନେକ ସ୍ଥାନରେ ଲଗାଣ ବର୍ଷା ପନିପରିବା ଚାଷକୁ ନଷ୍ଟ କରିଦେଇଛି । ଯାହା ଏବେ ଚାଷୀ ଏବଂ ମଧ୍ୟବିତ୍ତ ପରିବାରର ଚିନ୍ତା ବଢ଼ାଇଦେଇଛି । ବର୍ତ୍ତମାନ ପରିବା ବଡାରରେ ଚଡ଼କ ପଡ଼ିଛି , ଲଗାଣ ବର୍ଷା ଯୋଗୁଁ ମାର୍କେଟ୍କୁ ପରିବା ଆସିବା ମଧ୍ୟ କମିଗଲାଣି ।
ଅନ୍ୟପଟେ ଦେଖିବାକୁ ଗଲେ ଆତ୍ମନିର୍ଭର ହୋଇପାରୁନି ଓଡ଼ିଶା । ପରିବା ପାଇଁ ମଧ୍ୟ ପଡ଼ିଶା ଉପରେ ନିର୍ଭର କରିବାକୁ ପଡୁଛି । ସାଧାରଣ ଆଳୁ ପାଇଁ ପଶ୍ଚିମବଙ୍ଗ ଏବଂ ପିଆଜ ପାଇଁ ମହାରାଷ୍ଟ୍ରକୁ ଅପେକ୍ଷା କରିବାକୁ ପଡ଼ୁଛି । ରାଜ୍ୟରେ ସାଧାରଣ ପନିପରିବା ଅମଳ ହୋଇପାରୁନି । କାରଣ ଅମଳ ପରିବାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ରଖିବାକୁ ଶୀତଳ ଭଣ୍ଡାରର ବ୍ୟବସ୍ଥା ନାହିଁ । ସାଧାରଣ ଲୋକ କଲବଲ ହେଉଛନ୍ତି ତଥାପି ସଚେତନ ହେଉନାହାନ୍ତି ସରକାର ।