କନକ ବ୍ୟୁରୋ : ଲଘୁଚାପଜନିତ ବର୍ଷା ଯୋଗୁ ରାଜ୍ୟରେ ବଡ଼ ବଡ଼ ସହରରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଜଳ ନିଷ୍କାସନ ହୋଇନଥିବାରୁ ବାଲେଶ୍ବରରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଉବୁଟୁବୁ ସହରର ଅଧିକାଂଶ ଅଞ୍ଚଳ। ସହରର ନାଳ ସବୁ ଭର୍ତ୍ତି ହୋଇ ରାସ୍ତା ଉପରେ ପାଣି ଚାଲୁଛି।.. ହସ୍ପିଟାଲ ହେଉ କି ସ୍କୁଲ ଘର ପାଣି ପଶି ଯାଇଛି । ଡାକ ଅଫିସରେ ପାଣି ଜମି କାଗଜପତ୍ର ଓ ଟଙ୍କା ଓଦା ହୋଇଛି। ବାଲେଶ୍ବର ନୂଆସାହି ଅଞ୍ଚଳରେ ରାସ୍ତା ଏବଂ ଘରେ ଏବେବି ୨ ଫୁଟ୍ର ପାଣି ଚାଲୁଛି । ଘରୁ ବାହାରିବାକୁ ହେଲେ ପାଣିରେ ପଶିଯିବାକୁ ପଡ଼ୁଛି । ନୀଳଗିରି ମହିଳା ମହାବିଦ୍ୟାଳୟରେ ଶ୍ରେଣୀ ଗୃହରେ ବର୍ଷା ପାଣି ପଶିଯିବାରୁ ପାଣି ଭିତରେ ବସି ପରୀକ୍ଷା ଦେଇଛନ୍ତି ଛାତ୍ରୀ । ଟ୍ବିନ ସିଟି କଟକ, ଭୁବନେଶ୍ବରେ ବର୍ଷା ପାଣି ନିଷ୍କାସନ ହୋଇନପାରିବାରୁ ପାଣି ଭିତରେ ଗାଡ଼ି ଚଳାଚଳ ହେଉଥିବା ଦେଖିବାକୁ ମିଳିଛି ।
ଯାଜପୁରରେ ପ୍ରବଳ ବର୍ଷା ଯୋଗୁ ପ୍ରସିଦ୍ଧ ବରାହ ମନ୍ଦିରର ଗର୍ଭଗୃହରେ ଲହଡ଼ି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି । ଡ୍ରେନେଜ ସମସ୍ୟାର ସମାଧାନ ହେଉ ନଥିବାରୁ ବର୍ଷା ହେଲେ ଗର୍ଭଗୃହରେ ପାଣି ପଶୁଛି । ମନ୍ଦିର ଚାରିପଟେ ପାଣି ଜମି ରହୁଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଉନଥିବା ଅଭିଯୋଗ କରିଛନ୍ତି ସେବାୟତ ।.ସେପଟେ ବର୍ଷା ଯୋଗୁ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ପର୍ଯ୍ୟଟକଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି । ବର୍ଷା ଓ ବଜ୍ରପାତ ହେତୁ ପର୍ଯ୍ୟଯକମାନେ ପିଲା ଛୁଆଙ୍କୁ ଧରି ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଗଛ ମୂଳରେ ଆଶ୍ରୟ ନେଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ବର୍ଷା ହେଲେ ସୂର୍ଯ୍ୟମନ୍ଦିର ପରିସରରେ ଆଶ୍ରୟ ନେବାକୁ ସୁରକ୍ଷିତ ସ୍ଥାନ ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ବାହାର ରାଜ୍ୟର ପର୍ଯ୍ୟଟକ ।
ସହରାଂଚଳରେ ବାରମ୍ବାର କୃତ୍ରିମ ବନ୍ୟା ହେଉଥିଲେ ବି ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନିଆଯାଉନଥିବାରୁ ବର୍ଷା ହେଲେ ଏଭଳି ସମସ୍ୟା ଉପୁଜୁଛି ।