କନକ ବ୍ୟୁରୋ: ସାରା ଦେଶରେ ମୌସୁମୀର ତାଣ୍ଡବ ।  ଅନେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।  ବିଶେଷକରି ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ପଞ୍ଜାବରେ ପରିସ୍ଥିତି ସଙ୍ଗୀନ ରହିଛି ।  ଲଗାଣ ବର୍ଷା ଯୋଗୁଁ ଅମରନାଥ ଯାତ୍ରାକୁ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ବନ୍ଦ କରିଦିଆଯାଇଛି  ଏବଂ  ପ୍ରଭାବିତ ରାଜ୍ୟଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ପାଇଁ ସେନାକୁ ମୁତୟନ କରାଯାଇଛି ।  

Advertisment

ଅମରନାଥ ଯାତ୍ରା ସ୍ଥଗିତ

ଜମ୍ମୁ-କଶ୍ମୀରରେ ଲଗାଣ ବର୍ଷା ଏବଂ ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରାକୁ ସୋମବାର ଦିନ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ସମାପ୍ତ ଘୋଷଣା କରାଯାଇଛି ।  ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ (SASB) ପକ୍ଷରୁ କୁହାଯାଇଛି ଯେ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।  ପବିତ୍ର ଗୁମ୍ଫାକୁ ଯାଉଥିବା ରାସ୍ତାଗୁଡ଼ିକ ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ଏବଂ ପାହାଡ଼ରୁ ପଥର ଖସିବାର ଆଶଙ୍କା ମଧ୍ୟ ରହିଛି ।  

ଚଳିତ ବର୍ଷ ୫୨ ଦିନିଆ ଅମରନାଥ ଯାତ୍ରା ଜୁନ୍ ୨୯ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଏହା ଅଗଷ୍ଟ ୧୯ ତାରିଖରେ ଶେଷ ହେବାର ଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ଏହାକୁ ବାରମ୍ବାର ସ୍ଥଗିତ ରଖିବାକୁ ପଡ଼ିଥିଲା ।  ଚଳିତ ବର୍ଷ ୪.୫ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫାର ଦର୍ଶନ କରିସାରିଛନ୍ତି  ।

ପ୍ରବଳ ବର୍ଷା ଯୋଗୁଁ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ପଞ୍ଜାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।  ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଏବଂ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି । ଏହି ପରିସ୍ଥିତିର ମୁକାବିଲା ପାଇଁ ଏହି ତିନି ରାଜ୍ୟରେ ଭାରତୀୟ ସେନାକୁ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିୟୋଜିତ କରାଯାଇଛି ।  ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ କିଛି ଦିନ ପାଇଁ ଉତ୍ତର ଭାରତର ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ରେଡ୍ ଆଲର୍ଟ ଜାରି କରିଛି ।  ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ଏବଂ  ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।