କନକ ବ୍ୟୁରୋ : ଡିସେମ୍ବର ମାସର ଅଦିନିଆ ବର୍ଷାରେ ବେହାଲ ସାରା ରାଜ୍ୟ । ମଙ୍ଗଳବାର ସନ୍ଧ୍ୟାରେ ତୁହାକୁ ତୁହା ହାଲକା ବର୍ଷା ଚାଷକୁ ଉଜାଡିଦେଇଛି । ହେଲେ ଏଭିତରେ ଏକ ସଂଖ୍ୟନ ସାମ୍ନାକୁ ଆସିଛି । ୪୬ ବର୍ଷ ପରେ ରାଜଧାନୀରେ ରେକର୍ଡ ବର୍ଷା ହୋଇଛି । କାଲିପରେ ପାଗରେ ପରିବର୍ତ୍ତନ ହେବା ନେଇ ଆକଳନ କରୁଛି ପାଣିପାଗ ବିଭାଗ । ପଶ୍ଚିମ, ଉତ୍ତର ଓ ଦକ୍ଷିଣରେ ଘନକୁହୁଡି ଆଲର୍ଟ ଜାରି କରାଯାଇଛି ।

Advertisment

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ତଥ୍ୟ ଅନୁସାରେ ୧୯୭୮ ମସିହା ପରେ ଚଳିତ ଥର ଡ଼ିସେମ୍ବରରେ ରାଜଧାନୀରେ ସର୍ବାଧିକ ବର୍ଷା ରେକର୍ଡ଼ ହୋଇଛି । ୨୦୨୪ରେ ଦୁଇ ଥର ଡ଼ିସେମ୍ବରରେ ରେକର୍ଡ଼ ପରିମାଣ ବର୍ଷା ହୋଇଛି । ୧୯୭୮ ମସିହା ୩ ଡିସେମ୍ବରରେ ୬୨. ୩ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ୨୧ ଡିସେମ୍ବରରେ ହୋଇଛି ୫୧.୬ ମିଲିମିଟର ବର୍ଷା । ଢେର ବର୍ଷ ପୂର୍ବରୁ ୯ ଡିସେମ୍ବର ୧୯୭୩ରେ ୩୪.୬ ମିଲିମିଟର ବର୍ଷା ହୋଇଥିଲା ।

ରାଜଧାନୀରେ ଡିସେମ୍ବର ମାସର ବର୍ଷା

୩ ଡିସେମ୍ବର ୧୯୭୮: ୬୨.୩ ମିଲିମିଟର                    
୨୧ ଡିସେମ୍ବର ୨୦୨୪: ୫୧.୬ ମିଲିମିଟର
୯ ଡିସେମ୍ବର ୧୯୭୩: ୩୪.୬ ମିଲିମିଟର
୯ ଡିସେମ୍ବର୨୦୧୭: ୨୮.୫ ମିଲିମିଟର 
୭ ଡିସେମ୍ବର ୨୦୨୩:୨୨.୧ ମିଲିମିଟର
୧୭ ଡିସେମ୍ବର୨୦୦୩: ୧୭.୯ ମିଲିମିଟର
୧୦ ଡିସେମ୍ବର୧୯୮୧: ୧୭.୪ ମିଲିମିଟର
୨୨ ଡିସେମ୍ବର୨୦୨୪: ୧୬.୨ ମିଲିମିଟର
୮ ଡିସେମ୍ବର୧୯୭୩:୧୩.୭ ମିଲିମିଟର
୯ ଡିସେମ୍ବର୨୦୧୦: ୧୩.୨ ମିଲିମିଟର

ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୨୪ ଘଣ୍ଟା ଭିତରେ ବର୍ଷାରେ ସେଭଳି ପରିବର୍ତ୍ତନ ହେବନାହିଁ । ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲ୍ଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ମୁଖ୍ୟତଃ ଦକ୍ଷିଣ ଓ ଉପକୂଳ ଜିଲ୍ଲାରେ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ ।

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡାରେ ବର୍ଷା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ୨୬ ତାରିଖ ପରେ ପାଗରେ ଧିରେ ଧିରେ ପରିବର୍ତ୍ତନ ହେବ । ଏହାସହ ଘନକୁହୁଡି ବି ଦେଖାଦେବ । ୨୬ ତାରିଖରେ ପଶ୍ଚିମ ଓ ଉତ୍ତର ଓଡିଶାରେ ଘନ କୁହୁଡି ରହିବ । ୨୭ ତାରିଖରେ ଦକ୍ଷିଣ ଓଡିଶାରେ ଘନ କୁହୁଡି ଦେଖାଦେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ଖୋର୍ଧା ଟାଙ୍ଗୀରେ ସର୍ବାଧିକ ୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଉ ବର୍ଷା ଚାଷୀଙ୍କ ଫସଲ ଉଜାଡ଼ି ଦେଇଛି ।