କନକ ବ୍ୟୁରୋ: ମାଲକାନଗିରିରେ ଲଗାଣ ବର୍ଷା। ଚାରି ଆଡେ ପାଣି ଆଉ ପାଣି । ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି ଜିଲ୍ଲା । ପ୍ରବଳ ବର୍ଷା ଯୋଗୁ ପୋଟେରୁ ପୋଲ ଉପରେ ୧୦ ଫୁଟ ପାଣି ଚାଲୁଛି । ଗତକାଲି ରାତି ସାରା ବର୍ଷା ପରେ ଆଜି ସକାଳେ ବି ବର୍ଷା ଜାରି ରହିଛି । ଜିଲ୍ଲାର ପାଙ୍ଗାମ ପୋଲ ଉପରେ ବି ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ତାମସା, କାଙ୍ଗୋରୁକୋଣ୍ଡା, ବଦଲି ପୋଲ ଉପରେ ବି ପାଣି ଚାଲୁଛି । ଏମଭି ୯୬,  ଏମଭି ୯୦,  କନ୍ୟାଶ୍ରମ ପୋଲ ଉପରେ ୧୦ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ପାଙ୍ଗାମ ପୋଲି ଉପରେ ପାଣି ଚାଲୁଥିବାରୁ ମାଲକାନଗିରି-ଜୟପୁର ମୁଖ୍ୟରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ୩୨୬ ନମ୍ବର ଜାତୀୟ ରାଜପଥ ସଂଯୋଗ କରୁଥିବା ପାଙ୍ଗାମ ବ୍ରିଜରେ ବନ୍ୟାପାଣି ଚାଲୁଥିବାରୁ ଯୋଗାଯୋଗ ଏକପ୍ରକାର ଠପ୍ ହୋଇପଡିଛି । ସ୍ୱାଭିମାନ ଅଞ୍ଚଳରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ବେଜିଂ ଗ୍ରାମରେ ଥିବା ପୋଲ ଉପରେ ବନ୍ୟା ଜଳ ପ୍ରଭାବିତ ହେଉଛି । ଯାହା ଫଳରେ ଅଣ୍ଡ୍ରପାଲି, ଯନ୍ତ୍ରୀ ଗ୍ରାମ ପଞ୍ଚାୟତ ସମେତ ପଣସପୁଟର ପଞ୍ଚାୟତର କିଛି ଗାଁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।