କନକ ବ୍ୟୁରୋ : ବାଲେଶ୍ୱର ବାଲିଆ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ବେଳେ ଟାଟା ପାୱାର ଷ୍ଟୋର ପାଚେରୀ ଭୁଶୁଡ଼ି ପଡ଼ିଛି । ଯେଉଁଥିରେ ଚାପିହୋଇ ରାଜମିସ୍ତ୍ରୀ ସଦାନନ୍ଦ ଟୁଡୁଙ୍କ ମୃତ୍ୟୁ ହୋଇଛି । ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାକୁ ଖୋଜାଖୋଜି କରିଥିଲେ ପରିବାର ଲୋକ । ଭଙ୍ଗା ପାଚେରୀ ପାଖରେ ସଦାନନ୍ଦଙ୍କ ଚପଲ ପଡ଼ିଥିବା ଦେଖିଥିଲେ ଝିଅ ଝରଣା । ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଆଉ ଭଙ୍ଗା ପାଚେରୀ ତଳୁ ମିଳିଥିଲା ସଦାନନ୍ଦଙ୍କ ମୃତଦେହ । ନ୍ୟାୟ ପାଇଁ ଟାଟା ପାୱାର ଷ୍ଟୋର ଫାଟକ ସାମ୍ନାରେ ମୃତଦେହ ରଖି ଧାରଣା ଦେଇଥିଲେ ପରିବାର ଲୋକେ । ରେମୁଣା ଓ ସଦର ବିଧାୟକ ପହଞ୍ଚି ବୁଝାସୁଝା କରିବା ପରେ ଉଠିଥିଲା ମୃତଦେହ ।
ବାଲେଶ୍ୱରରେ ବିକଳ ଚିତ୍ର । ପାଣିରେ ଉବୁଟୁବୁ ସ୍ୱାସ୍ଥ୍ୟ ବ୍ୟବସ୍ଥା । ଡାକ୍ତରଖାନା ଜଳବନ୍ଦୀ, ପାଦେ ପାଦେ ପାଣିରେ ପଶି ଚିକିତ୍ସା ପାଇଁ ଯାଉଛନ୍ତି ରୋଗୀ । ଆଜି ଦିବ୍ୟାଙ୍ଗ କ୍ୟାମ୍ପ ଥିବାରୁ ୩୦୦ରୁ ଅଧିକ ଦିବ୍ୟାଙ୍ଗ ମେଡିକାଲକୁ ଆସିଥିଲେ । କିନ୍ତୁ ପାଣି ଜମି ରହିଥିବାରୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡ଼ିଛି । କିଏ ଜରି ପକାଇ ଶୋଇଛି ତ ଆଉ କାହାକୁ ସମ୍ପର୍କୀୟ କାନ୍ଧରେ ବୋହିଛନ୍ତି । ଓପିଡିରୁ ନେଇ ନିରାମୟ କାଉଣ୍ଟର, ସବୁଠି ଅବସ୍ଥା ବେହାଲ । ଖାଲି ଡାକ୍ତରଖାନା ନୁହେଁ ପୂରା ସହର ପାଣି ଘେରରେ ରହିଛି । ରାସ୍ତା ଉପରେ ୩ ଫୁଟର ପାଣି ଚାଲୁଥିବା ବେଳେ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପଶିଛି ବର୍ଷା ପାଣି । ନାଳ ସଫେଇ ହୋଇନଥିବାରୁ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ସେପଟେ ସମାଧାନ ପାଇଁ ମାଷ୍ଟର ପ୍ଲାନ ହେବ ବୋଲି କହିଛନ୍ତି ବିଧାୟକ ।
ବର୍ଷା ଆରମ୍ଭରୁ ଉବୁଟୁବୁ ବାଲେଶ୍ୱର । ଆଗକୁ ସ୍ଥିତି କଣ ହେବ ତାକୁ ନେଇ ଚିନ୍ତାରେ ସହାର ବାସିନ୍ଦା । ଏଠି ପ୍ରଶ୍ନ କୃତ୍ରିମ ବନ୍ୟା ପାଇଁ କିଏ ଉତ୍ତରଦାୟୀ ? କାହିଁକି ହୋଇନଥିଲା ନାଳ ସଫା ? କେବେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ୍ ?