କନକ ବ୍ୟୁରୋ: ଅବପାତ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା । ଉପକୂଳ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୦ ଜିଲ୍ଲାକୁ ରେଡଆଲର୍ଟ ଜାରି କରାଯାଇଛି ।
ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସାଢେ ୧୦ଟାରୁ ସାଢେ ୧୧ଟା ମଧ୍ୟରେ ପୁରୀ ନିକଟରେ ଉପକୂଳ ଅତିକ୍ରମ କରିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମଙ୍ଗଳବାର ସକାଳ ୮ଟା ୩୦ ଯାଏଁ ୧୦ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
୧୦ ଜିଲ୍ଲାକୁ ରେଡଆଲର୍ଟ
ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର
ଏସବୁ ଜିଲ୍ଲାରେ ୨୦୦ ମିଲିଲିଟର ପର୍ୟ୍ୟନ୍ତ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ମଧ୍ୟ ରାତିରୁ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତର ରୂପ ନେବ । ଆସନ୍ତାକାଲିଠୁ ବର୍ଷାର ପରିମାଣ କମିବ । ଆସନ୍ତା ଦୁଇ ଦିନ ଭିତରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗଭୀର ଅବପାତ ଛତିଶଗଡ଼ ମୁହାଁ ହେବ ।
୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ଉପକୂଳ ଓଡ଼ିଶାର ୫ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଥିଲା । କିନ୍ତୁ ସୋମବାର ରେଡ ଆଲର୍ଟରେ ଥିବା ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇଛି । ସେପଟେ ଦକ୍ଷିଣ ଓଡ଼ିଶାରେ ରେକର୍ଡ ପରିମାଣର ବର୍ଷା ହୋଇଛି । ଉପକୂଳରେ କମ ବର୍ଷା ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢୁଥିବା ଦେଖି ଦିନ ୧୧ଟାରେ ପୁଣି ନୂଆ ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ। ପାଣିପାଗ ବିଭାଗ ଆଲର୍ଟଜାରି କରିଥିବା ପୂର୍ବ ଓ ପରର ୨ଟି ମାନଚିତ୍ର । ଏନେଇ ପ୍ରଶ୍ନ କରାଯିବାରୁ କଣ କହିଥିଲେ ନିର୍ଦ୍ଦେଶକ ଶୁଣନ୍ତୁ ।
ଗଭୀର ଅବପାତ ପ୍ରଭାବରେ ମାଲକାନଗିରି, କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଭୀଷଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ମାଲକାନଗିରିରେ ୨୫୩ ମିଲିଲିଟର ଓ କୋରାପୁଟରେ ହାରାହାରି ୬୬.୦୯ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି ।