କନକ ବ୍ୟୁରୋ : ମାଲକାନଗିରିରେ ପ୍ରବଳ ବର୍ଷା ପାଇଁ ବୁଡ଼ିଲା ପୋଟେରୁ ପୋଲ । ପୋଟେରୁ ପୋଲ ଉପରେ ଚାଲିଛି ୪ ଫୁଟର ପାଣି । କାଙ୍ଗୋରୁକୋଣ୍ଡା ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି । ସେହିପରି କନ୍ୟାଶ୍ରମ ପୋଲ ମଧ୍ୟ ବର୍ଷା ପାଣିରେ ବୁଡ଼ିଯାଇଛି । ଫଳରେ ୩୨୬ ନମ୍ବର ଜାତୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି । ଆଜି ବି ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଆଜି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି। ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ରହିବ। ଏହା ସହ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Advertisment

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ।  ଏହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି ।  ଆଜି ୩ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି ।  ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ।  ନବରଙ୍ଗପୁର ଜିଲ୍ଲାରେ ଭୀଷଣ ବର୍ଷା ଆଶଙ୍କାରେ ଆଜି ନବରଙ୍ଗପୁର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।  ସେହିପରି କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟର ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି ।  ସୋନପୁର, ବୌଦ୍ଧ, କଳାହାଣ୍ଡି, ଗଞ୍ଜାମ, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ବର୍ଷା ହେବ । ଏଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଛନ୍ତି ଏସ୍‌ଆରସି । ୧୯ ଅଗଷ୍ଟ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ଲଘୁଚାପ । ସେପଟେ ପାଣିପାଗ ବିଭାଗର ଆକଳନ ଅନୁସାରେ ଅଗଷ୍ଟ ୨୩ ବେଳକୁ ଆଉ ଏକ ଲଘୁଚାପ ହୋଇପାରେ ।