କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳକା ନଦୀର ଜଳସ୍ତର । ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ବେଳେ ଗୁରୁବାର ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୩୨ ମିଟର ରେ ପ୍ରବାହିତ ହେଉଛି, ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ଜଳସ୍ତର । ଗତ ତିନି ଦିନ ଧରି ବସ୍ତା ସମେତ ନଦୀର ଉପରମୁଣ୍ଡରେ ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ଜଳସ୍ତର । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବର ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ ତାହାଲେ ବସ୍ତା ବ୍ଲକର ୧୦ ପଞ୍ଚାୟତ ମଥାନୀ, ବାହାର୍ଦା, କୁଡିଆ, ଦୁଧ ହଂସା, ବାସି ଚକୁରାଇ, ଦରଡା, ମୁକୁଳିସି, ସଦନନ୍ଦପୁର, ବ୍ରାହ୍ମୁଣଦା, ବରୁଣଗଡିଆ ଏବଂ ସଦର ବ୍ଲକର ୨ ଟି ପଞ୍ଚାୟତ ଶ୍ରୀରାମପୁର ଓ ରସଲପୁର ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।
ସେପଟେ ରାଜ୍ୟରେ ଆଉ ଦୁଇ ଦିନ ଲଘୁଚାପ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ସାରା ରାଜ୍ୟରେ ବର୍ଷା ହେବାକୁ ଥିବା ବେଳେ ପ୍ରବଳ ବର୍ଷାକୁ ନେଇ ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ମେଘୁଆ ପାଗ ସହ ପବନ ପାଇଁ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/04/14-jalaka-2025-09-04-09-33-50.jpg)