କନକ ବ୍ୟୁରୋ: ଆସନ୍ତାକାଲି ସୁଦ୍ଧ‌ା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳସ୍ଥ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ସାରା ଓଡ଼ିଶାରେ ମେଘୁଆ ପାଗ ଜାରି ରହିବା ସହ ଅଳ୍ପବହୁତ ବର୍ଷା ହୋଇଛି । 

Advertisment

ଲଘୁଚାପ କ୍ଷେତ୍ର ଧୀରେଧୀ‌ରେ ଉତ୍ତର ଦିଗକୁ ଗତି କରିବ ଓ ଆସନ୍ତା ୨୪ଘଣ୍ଟାରେ ଅଧିକ ସ୍ପଷ୍ଟ ରୂପ ନେବ। ଫଳରେ ୩୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା , ବିଜୁଳି ଘଡ଼ଘଡ଼ି ସହ ବର୍ଷା, ଝଡ଼ତୋଫାନ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାକୁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଅନ୍ୟପକ୍ଷରେ ଚଳିତ ବର୍ଷ ‌ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର କେବଳ ସଅଳ ଅଗମନ ନାହିଁ ଏହା ପ୍ରଭାବରେ ଦେଶରେ ଜୁନ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । ଫଳରେ ଦେଶରେ ସର୍ବୋଚ୍ଚ ତାପମାତ୍ରା ନିୟନ୍ତ୍ରଣରେ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । 

ସୂଚନା ମୁତାବକ, ଆସନ୍ତା ଜୁନ୍‌ରେ ସାରା ଦେଶରେ ୧୬୬.୯  ମିମିରୁ ଅଧିକ ବର୍ଷା ହେବ ଯାହାକି ଦୀର୍ଘ ଅବଧି ହାରଠାରୁ ୧୦୮% ଅଧିକ । ଏହି ଆକଳନ ଅନୁଯାୟୀ,  ପୂର୍ବ ଭାରତରେ ବି ଜୁନରେ ସ୍ବାଭାବିକଠାରୁ ଅଧିକ ବର୍ଷାର ସମ୍ଭାବନା ରହିଥିବାରୁ ଓଡ଼ିଶାରେ ମଧ୍ୟ ଜୁନ୍‌ରେ ଅଧିକ ବର୍ଷିବ ବୋଲି ଆଶା କରାଯାଉଛି ।