କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ସ୍ପେନରେ ବନ୍ୟା ତାଣ୍ଡବ ଦେଖିବାକୁ ମିଳିଛି । ଫଳରେ ୯୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ବାସହରା ହୋଇଛନ୍ତି । ବନ୍ୟା ଯୋଗୁଁ କେତେକ ଘର ଏବଂ ଦୋକାନ ଛାରଖାର ହୋଇଛି । ଶତାଧିକ କାର ଏବଂ ଅନ୍ୟ ଗାଡି ପାଣିରେ ଭାସିଯାଇଛି । ସ୍ପେନ ଅଧିକାରୀଙ୍କ କହିବାନୁଯାୟୀ, ଦେଶରେ ହଠାତ୍ ବନ୍ୟା ଯୋଗୁଁ ୯୫ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ କାର ପାଣିରେ ଭାସିଯାଇଛି । ଗାଁରେ ପାଣି ପଶିବା ଯୋଗୁଁ ରେଳ ଲାଇନ ଏବଂ ରାଜମାର୍ଗ ଅବରୋଧ ହୋଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସ୍ପେନର ପୂର୍ବ ଏବଂ ଦକ୍ଷିଣ ଭାଗରେ ମୂଷଳଧାରା ବର୍ଷା ଯୋଗୁଁ ବନ୍ୟା ଆସିଛି । ମଲାଗା ନିକଟରେ ଏକ ରେଳଗାଡି ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି । ଏଥିରେ ୩୦୦ରୁ ଅଧିକ ଲୋକ ରହିଥିଲେ । ତେବେ କୌଣସି ହତାହତ ଖବର ଆସିନାହିଁ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ନିୟୋଜିତ ରହିଛି । ଲୋକଙ୍କୁ ହେଲିକପ୍ଟରରେ ଉଦ୍ଧାର କରାଯାଉଛି । ୧୦୦୦ରୁ ଅଧିକ ଯବାନ ନିୟୋଜିତ ରହିଛନ୍ତି ।