କନକ ବ୍ୟୁରୋ: ବର୍ଷା କରୁଛି କଲବଲ ।ବର୍ଷା ଛାଡ଼ିବାର ନାଁ ନେଉନି । ଫଳରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ଥିତି ସଙ୍ଗିନ। କୋରାପୁଟରେ ପ୍ରବଳ ବର୍ଷାର ପ୍ରଭାବ । ବର୍ଷା ପରେ ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତର ୬ଟି ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ  ହୋଇଛି । ସୁଲିଆମାରି ସ୍ଥିତ ଅସ୍ଥାୟୀ ପୋଲରେ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ସ୍ଥାନୀୟ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ପୋଲ ନିକଟରେ ଏକ ଟ୍ରାକ୍ଟର ଓଲଟି ପଡ଼ିଥିବା ବେଳେ ପାଣିର ପ୍ରଖର ସ୍ରୋତରେ ଏକ ଟିପ୍ପର ଅଟକି ରହିଛି । ତେବେ ସ୍ଥାୟୀ ପୋଲ କାମ ସରୁନଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକ  । 

Advertisment


ଲଗାଣ ବର୍ଷାରେ ବେହାଲ୍ ଜୟପୁର । ଗତକାଲି ଜୟପୁରରେ ୧୮୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଫଳରେ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ଜୟପୁର ସହରରେ କୁତ୍ରିମ ବନ୍ୟା ସ୍ଥିତି ଉପୁଜିଛି । ଫଳରେ କିଏ ରାତି ଉଜାଗର ରହିଛି ତ ଆଉ କାହାର ଘର ଭାଙ୍ଗିଯାଇଛି । ଅନ୍ୟଘରେ ଆଶ୍ରୟ ନେବାକୁ ପଡୁଛି । ସହରର ହାଟପଦାରେ ରହୁଥିବା ଅନେକ ପ ରିବାର ଏବେ ଜଳବନ୍ଦୀ। ବୈପାରିଗୁଡ଼ା ବ୍ଲକ୍‌ରେ ୩୦୬ ମିଲିମିଟର ସର୍ବାଧିକ ବର୍ଷା ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ରହିଥିଲା ଜୟପୁର । 

ଆଜି ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ରାଜ୍ୟରେ ସବୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । କାଲିଠୁ ବର୍ଷାର ପରିମାଣ କମିବ । ଆସନ୍ତାକାଲି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୋନପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି  । ସେହିପରି ୩୦ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।