କନକ ବ୍ୟୁରୋ : ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁ କୁଲୁ ଓ କାଙ୍ଗଡା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ୨୦ଜଣ ନିଖୋଜ ଥିବା ଜଣାପଡ଼ିଛି । କାଙ୍ଗଡ଼ା ଜିଲ୍ଲାର ଖନିୟାରା ଅଞ୍ଚଳରେ ଇନ୍ଦିରା ପ୍ରିୟଦର୍ଶିନୀ ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିବା ଶ୍ରମିକ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ମନୁଣି ଖଡ୍ଗ ନଦୀରେ ଅଚାନକ ବନ୍ୟା ପାଣି ମାଡ଼ି ଆସିବାରୁ ୧୫ ଜଣ ଶ୍ରମିକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ଖବର ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏନ୍ଡିଆରଏଫ୍ ଟିମ୍ ଉଦ୍ଧାର କାମରେ ଲାଗିଛନ୍ତି । ୨ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ନିଖୋଜଙ୍କୁ ଖୋଜାଖୋଜି କରାଯାଉଛି । ବନ୍ୟାରେ କେତେ ଲୋକ ପ୍ରଭାବିତ ହୋଇଛନ୍ତି, ତାହା ସଠିକ ଜଣାପଡିନି ।
ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସେପଟେ କୁଲୁ ଜିଲ୍ଲାର ସେଞ୍ଜ ଘାଟି, ଜୀବା ନାଲା, ଗଢସା ଘାଟି, ହୋରନଗଡ଼ରେ ବାଦଲଫଟା ବର୍ଷା ଯୋଗୁଁ ଜଳପ୍ରଳୟ ଦେଖିବାକୁ ମିଳିଛି । ଜୀବା ନାଲାରେ ବାପା-ଝିଅଙ୍କ ସମେତ ୩ ଜଣ ଭାସିଯାଇ ନିଖୋଜ ଥିବା ଖବର ମିଳିଛି । ବିଭିନ୍ନ ନଦୀର ଜଳସ୍ତର ବଢୁଥିବାରୁ ମଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବ୍ୟାସ ନଦୀକୂଳିଆ ଲୋକଙ୍କୁ ସତର୍କ ରହିବା ଜିଲ୍ଲା ପ୍ରଶାସନ ଆଲର୍ଟ ଜାରି କରିଛି ।