କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତୁହାକୁତୁହା ବର୍ଷା ହେଉଛି । କେନ୍ଦୁଝର ଓ ମୟୂରଭଂଜ ଏହି ଦୁଇଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ବର୍ଷା ବିତ୍ପାତ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ସାଂଘାତିକ ଚିତ୍ର ।
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଅବପାତରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇପାରେ । ଏହା ପ୍ରଭାବରେ ପ୍ରାୟ ସବୁ ଜିଲ୍ଲାରେ ଜାରି ରହିଛି ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କେନ୍ଦୁଝର ଓ ମୟୂରଭଂଜକୁ ରେଡ୍ ଆଲର୍ଟ ଜାରି ହୋଇଛି । ୧୦ ଜିଲ୍ଲାକୁ ଅରେଞ୍ଜ ଓ ବାକି ୧୮ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ୨୭ ତାରିଖ ପରେ କମିବ ବର୍ଷାର ପରିମାଣ । ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ଆସନ୍ତା ୫ ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ।
ଲଗାଣ ବର୍ଷାରେ ବେହାଲ୍ ହୋଇଛି ସାରା ଓଡ଼ିଶା । ମାଲକାନଗିରି ଜିଲ୍ଲା କାଲିମେଳାର କାନ୍ୟାଶ୍ରମ ପୋଲ ଉପରେ ଚାଲୁଛି ୨ ଫୁଟର ପାଣି। ଫଳରେ ଯାତାୟତ ପ୍ରଭାବିତ ହୋଇଛି। ବୌଦ୍ଧ ଜିଲ୍ଲା ଶଗଡ଼ାରେ ବନ୍ୟା ପାଣି ସ୍ରୋତରେ ଭାସିଯାଇଛି ଟ୍ରାକ୍ଟର। ଶଗଡ଼ାର କୁରୁମୁଣ୍ଡା ରାସ୍ତା ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଟ୍ରାକ୍ଟରଟି ଭାସିଯାଇଛି। ସେହିପରି କୋରାପୁଟ ଜିଲ୍ଲା ବୈପାରି ଗୁଡ଼ାରେ କାଦୁଅ ରାସ୍ତାରେ ଫସିଛି ଆମ୍ବୁଲାନ୍ସ। ଗୋଟିଏ ମେଟାଲ ବୋଝେଇ ଟ୍ରକ କାଦୁଅ ପଚପଚ ରାସ୍ତାରେ ଫସିଥିବାରୁ ଆମ୍ବୁଲାନ୍ସକୁ ରାସ୍ତା ମିଳିନଥିଲା। ଫଳରେ ଗୁରୁତର ରୋଗୀ ଜୟପୁର ମେଡିକାଲରେ ପହଞ୍ଚି ନପାରି ହନ୍ତସନ୍ତ ହୋଇଛନ୍ତି।
ଲଗାଣ ବର୍ଷାରେ ଭାଙ୍ଗିଯାଇଛି ଘର, ବାସହରା ହେଲେ ୨ ପରିବାର। ନୂଆପଡ଼ା କୋମନା ବ୍ଳକ ଭାଲୁକୋନା ଗାଁରେ ୨ଟି ପରିବାର ବାସହରା ହୋଇପଡିଛନ୍ତି। ୨୯ ତାରିଖ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଛନ୍ତି ଏସଆରସି।