କନକ ବ୍ୟୁରୋ: ଓଡିଶା ଆଡକୁ ମାଡି ଆସୁଥିବା ବାତ୍ୟା ଦାନା ପ୍ରଭାବରେ ଅଧା ଓଡିଶା କଲବଲ ହେବ। ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସୁଥିବା ବାତ୍ୟାକୁ କେମିତି ସଫଳତାର ସହ ମୁକାବିଲା କରାଯିବ ସେଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର...

Advertisment
  • ୩ ଦିନ ପ୍ରବଳ ବର୍ଷା
  • ୧୦୦ରୁ ୧୨୦ କିମି ବେଗରେ ବହିବ ପବନ

ଓଡ଼ିଶା ଆଡକୁ ମାଡି ଆସୁଥିବା ବାତ୍ୟାର ପ୍ରଭାବରେ ରାଜ୍ୟରେ ପ୍ରବଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୩ ତାରିଖରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୪ ତାରିଖରେ ଅଧାରୁ ଅଧିକ ଓଡିଶା ଭିଜିବ । ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢ଼େଙ୍କାନାଳ କେନ୍ଦୁଝରରେ ପ୍ରବଳ ବର୍ଷା ଆକଳନ କରୁଛି ପାଣିପାଗ ବିଭାଗ।

ଅନ୍ୟପଟେ ୨୫ ତାରିଖରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଜଗତସିଂହପୁର କେନ୍ଦ୍ରାପଡା, କଟକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ, ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି।  

ତେବେ ଆସୁଥିବା ବାତ୍ୟା ପ୍ରଭାବରେ ପବନର ବେଗ ଅଧିକ ରହିବ । ୨୪ତାରିଖରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର,କଟକ, ଯାଜପୁର ଜିଲ୍ଲାରେ ଘଣ୍ଟା ପ୍ରତି ୧୦୦ ରୁ ୧୧୦ କିମି ବେଗରେ ପବନ ବହିବ। ବେଳେ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୨୦ କିମି ହେବ ।

ବର୍ଷା ଓ ପବନ ଯୋଗୁଁ ଉପୁଜିବାକୁ ଯାଉଥିବା ପରିସ୍ଥିତିର ମୁକାବିଲା ପାଇଁ ସଜାଗ ହୋଇଛି ପ୍ରଶାସନ। ରାଜ୍ୟ ସରକାର ଘନ ଘନ ବୈଠକ କରିବା ସହ ଜିଲ୍ଲାସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେପଟେ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଓ ଏନଡିଆରଏଫ ଟିମ୍ ସଜାଗ ରହିଛନ୍ତି । ତଳିଆ ଅଞ୍ଚଳ ଓ ଚାଳ ଛପର ଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବା ପାଇଁ ସତର୍କ କରାଯାଇଛି ।