କନକ ବ୍ୟୁରୋ: ସମ୍ବଲପୁରରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିଛି । ଜଗନ୍ନାଥ କଲୋନି ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଛି । ସାକ୍ଷୀପଡ଼ାରୁ ଜଗନ୍ନାଥ କଲୋନି ସଂଯୋଗ କରୁଥିବା ଅଣ୍ଡରପାସ୍‌ରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଯଦି ବର୍ଷା ଲାଗିରହେ ବିଭିନ୍ନ ଘରକୁ ପାଣି ପଶିବାର ଆଶଙ୍କା କରାଯାଉଛି । ସେହିପରି ଦାନୀପାଲି ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଉତ୍ପନ୍ନ ହୋଇଛି । ଡ୍ରେନେଜ୍‌ ବ୍ୟବସ୍ଥା ଠିକ୍ ନଥିବାରୁ ଗୋଟିଏ ଦିନର ବର୍ଷାରେ ବେହାଲ ହୋଇପଡ଼ିଛି ସମ୍ବଲପୁର ସହର । ସେପଟେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍‌ ଖୋଲିଛି । ୧୨ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ୱର ୮ ଓ ଡାହାଣ ପାର୍ଶ୍ଵର ୪ଟି ଗେଟ୍‌ ଖୋଲା ରହିଛି । ଜଳଭଣ୍ଡାରର ଜଳସ୍ତର ୬୨୯.୯୭ ଫୁଟ ରହିଛି । ୨ ଲକ୍ଷ ୫ ହଜାର ୪୨୬ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୬୭ ହଜାର ୩୦୭ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । 

Advertisment

ସେପଟେ ଦକ୍ଷିଣ ଓଡ଼ିଶାକୁ ବର୍ଷା ଭୟ ରହିଛି । ପ୍ରସ୍ତୁତ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ବିନା ଅନୁମତିରେ କେହି ହେଡକ୍ୱାର୍ଟର୍ସ ଛାଡି ପାରିବେନି । ଅଫିସରଙ୍କୁ ହାଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀକାଳୀନ ବିଭାଗ ବି ସଜାଗ ରହିଛି । ପାଣିପାଗ ବିଭାଗ ସୂଚନା ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ସେପଟେ  ଆଗକୁ ଦୁଇଟି ଲଘୁଚାପ ଆସୁଥିବା ବେଳେ କୋରାପୁଟରେ ପ୍ରବଳ ବର୍ଷା ଜାରି ରହିଛି । ସବୁ ବ୍ଲକରେ ରେକର୍ଡ ପରିମାଣର  ବର୍ଷା ହୋଇଛି । ନନ୍ଦପୁର, ବୈପାରୀଗୁଡା, କୋରାପୁଟରେ ପ୍ରବଳ ବର୍ଷା ହେଉଛି । ଜିଲ୍ଲାରେ ୫୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲମତାପୁଟରେ ୯୦ ମିଲିମିଟର, ନନ୍ଦପୁରରେ ୧୦୧ ଓ କୋରାପୁଟରେ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।  ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ।  ଲୁଘଚାପ ଯୋଗୁଁ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଁ ଭିତରେ ମାଟି ଅତଡ଼ା ଧସିଛି । ପାହାଡ଼ ଉପରୁ ମାଟି ଖସିବା ଫଳରେ କୋରାପୁଟ ଓ ଲମତାପୁଟ ଘାଟିରେ ପଥର ଜମିଛି ।