କନକବ୍ୟୁରୋ :ଦୁର୍ବଳ ହେଲା ଲଘୁଚାପ। ତଥାପି ଜାରି ରହିଛି ପ୍ରବଳ ବର୍ଷା । ଆଗାମୀ ୩ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପୁରୀ, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷା ପାଇଁ ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

Advertisment

ଏହି ସମୟରେ ବିଜୁଳି, ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ତେଣୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସେପଟେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା  । 

ବଢିଲା ଜଳକା ନଦୀର ଜଳସ୍ତର, ମଥାନୀଠାରେ ଜଳକା ନଦୀର ଜଳସ୍ତର ସତର୍କ ସଙ୍କେତ ଟପିଛି । ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬ ଦଶମିକ ୨୪ ମିଟରରେ ପ୍ରବାହିତ ହେଉଛି  । ଫଳରେ ବନ୍ୟା ଆଶଙ୍କାରେ ଭୟଭୀତ ନଦୀ କୁଳିଆ ବାସିନ୍ଦା।

ଗତ ଦୁଇଦିନ ଧରି ବାଲେଶ୍ବର ସମେତ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି । 

ବନ୍ୟା ହେଲେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଗତ ବନ୍ୟାରେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏକ ହଜାରରୁ ଅଧିକ ହେକ୍ଟର ଚାଷ ଜମିରେ ପାଣି ପଶିଥିଲା । ସେଥିରେ ବହୁ ପରିମାଣରେ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ଗତ ଦିନେ ଦୁଇ ଦିନ ହେବ ପାଣି ଛାଡିଥିବା ବେଳେ ପୁଣି ଏହି ଲଘୁଚାପ ଫଳରେ ବନ୍ୟା ହୋଇ ଚାଷ ଜମିରେ ପାଣି ପଶିଲେ ସମ୍ପୂର୍ଣ୍ଣ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଚାଷୀ ଚିନ୍ତାରେ ଅଛନ୍ତି ।