କନକ ବ୍ୟୁରୋ: କେନ୍ଦୁଝର ଠାରୁ କେନ୍ଦ୍ରାପଡ଼ା ଓ ରାଉରକେଲା ଠାରୁ ବାଲେଶ୍ୱର ସବୁଠି ଲାଗି ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ପରେ ସବୁଠି ଏବେ ଜଳବନ୍ଦୀ ସ୍ଥିତି । ଅନେକ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ଘର ଭାଙ୍ଗି ଯାଇଛି । ବର୍ଷା ଯୋଗୁଁ ଚାଷଜମିରେ ପନିପରିବା ଫସଲ ମଧ୍ୟ ପ୍ରଭାବିତ ହୋଇଛି । 

Advertisment

କେନ୍ଦୁଝର
ପ୍ରବଳ ବର୍ଷାରେ ବେହାଲ କେନ୍ଦୁଝର ଜିଲ୍ଲା । ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟି ଓ କାଞ୍ଜିପାଳି ଘାଟିରେ ଭୁସ୍ଖଳନ ଯୋଗୁଁ ରାସ୍ତା ଉପରେ ପଥର ଧସିବା ଫଳରେ ଯାତାୟତ ବାଧାପ୍ରାପ୍ତ । ବର୍ଷା ଫଳରେ କେନ୍ଦୁଝରଗଡ଼ ପୌରପାଳିକା ସମେତ ତେଲକୋଇ, ବାଂଶପାଳ, ହରିଚନ୍ଦନପୁର ଅଞ୍ଚଳରେ ପାଣି ଜମିରହିଛି।ଫଳରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ ।

ରାଉରକେଲା
ଲଗାଣ ବର୍ଷା ଫଳରେ ସ୍ମାର୍ଟ ସିଟି ରାଉରକେଲା ବସ୍ତିରେ ପଶିଛି ପାଣି । ଜଳବନ୍ଦୀ ଅବସ୍ଥାରେ ପାଖାପାଖି ୩୫ରୁ ଅଧିକ ପରିବାର । ବାଲୁଘାଟ, ନ୍ୟୁ ବସ୍ତି ଓ ସର୍ଦ୍ଦାର ବସ୍ତିର ଘର ଭିତର ଓ ରାସ୍ତାଘାଟ ସବୁ ଆଡେ ଖାଲି ପାଣି ଆଉ ପାଣି । ପ୍ରତିବର୍ଷ ବସ୍ତି ବାସିନ୍ଦା ଏଭଳି କଲବଲ ହେଉଛନ୍ତି । ଏହାର ସ୍ଥାୟୀ ସମାଧାନ ଦାବୀ କରିଛନ୍ତି ବସ୍ତି ବାସିନ୍ଦା ।

ବାଲେଶ୍ୱର
ଲଗାଣ ବର୍ଷାରେ ରେମୁଣା ବ୍ଲକର ଅନେକ ଗାଁ ପ୍ରଭାବିତ ହୋଇଛି । ଗୁଡୁଦ, ପତ୍ରିପାଳ, ଝୁମ୍ପୁରା ଇତ୍ୟାଦି ଅଞ୍ଚଳରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଛି । ଗ୍ରାଉଣ୍ଡରେ ପହଁଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ଜନପ୍ରତିନିଧି।

୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।