କନକ ବ୍ୟୁରୋ: ସାରା ଓଡ଼ିଶାରେ ପ୍ରବଳ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପର ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୩ ଜିଲ୍ଲାକୁ ରେଡ୍ ଆଲର୍ଟ, ୧୪ ଜିଲ୍ଲାକୁ ଅରେଞ୍ଜ୍‌ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, ଓ ବାଲେଶ୍ୱରକୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତା କାଲି ମଧ୍ୟ ସାରା ରାଜ୍ୟରେ ବର୍ଷା ଜାରି ରହିବ । ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ବଳ ଗୋଟାଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳର ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ୨୭ ତାରିଖ ସକାଳେ ଦକ୍ଷିଣ ଓଡିଶା,ଉତ୍ତର ଆନ୍ଧ୍ର  ଉପକୂଳ ଅତିକ୍ରମ କରିବ ଅଵପାତ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ତେବେ ସାରା ରାଜ୍ୟ ପାଇଁ ଏବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି ।

Advertisment

ଉପର ମୁଣ୍ଡରେ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦର ଜଳସ୍ତର । ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ୩ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ମୁଣ୍ଡୁଳୀ ଠାରେ ୫ ଲକ୍ଷ ୫୪ ହଜାର କ୍ୟୁସେକ୍‌ ପାଣି ଟପିଲାଣି । ଯାହାଫଳରେ ମହାନଦୀ ଏବଂ ଏହାର ଶାଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ସୂଚନା ଅନୁସାରେ ଗତକାଲି ମୁଣ୍ଡଳି ଠାରେ ୧ ଲକ୍ଷ ୬୦ ହଜାର କ୍ୟୁସେକ ଜଳ  ପ୍ରବାହିତ ହେଉଥିଲା । ହେଲେ ଆଜି ଜଳସ୍ତର ଅପେକ୍ଷାକୃତ ବଢିବାରେ ଲାଗିଛି । ଏବେବି ତଳ ମୁଣ୍ଡରେ ବର୍ଷ ଜାରି ରହିଛି । ସମ୍ଭାବ୍ୟ ବନ୍ୟା ଆଶଙ୍କାକୁ ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ମହାନଦୀର ଜଳସ୍ତର ବଢିଥିବାବେଳେ ତଳିଆ ଅଞ୍ଚଳରେ ବନ୍ୟା ଭୟ ବଢ଼ିଛି। ବାଙ୍କୀରେ ମହାନଦୀ ଉଛୁଳିଥିବା ଦେଖିବାକୁ ମିଳିଛି।