କନକ ବ୍ୟୁରୋ : ରାସ୍ତାରେ ନଦୀର ଭ୍ରମ । ରାଜରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି । ମାତ୍ର କେଇ ଘଣ୍ଟାର ବର୍ଷାରେ ରାଜଧାନୀରେ ଏଭଳି ସ୍ଥିତି । ସକାଳୁ ପାଗ ଭଲ ଥିଲେ ବି ଦ୍ବିପ୍ରହରରେ ଅଚାନକ ମାଡ଼ି ଆସିଥିଲା ବର୍ଷା । ପ୍ରାୟ ଘଣ୍ଟାଏ କାଳ ନିର୍ଧୁମ୍ ଛେଚିଥିଲା । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମିବା ଫଳରେ ଉପୁଜିଥିଲା ଟ୍ରାଫିକ୍ ସମସ୍ୟା । ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମରେ ଫସିଥିଲେ ଲୋକ । 

Advertisment

ସହରରେ ଡ୍ରେନେଜ୍ ସିଷ୍ଟମରେ ସୁଧାର ଆଣିବାକୁ ବିଏମସି ଅନେକ ବ୍ୟବସ୍ଥା କଥା କହୁଥିବା ବେଳେ ସବୁ କିଛି ଆଜି ଆଖି ସାମ୍ନାରେ ଜଳଜଳ ଦେଖାଯାଉଛି । ଅସରାଏ ବର୍ଷା ପରେ ସ୍ଥିତି ଏପରି ହେଉଛି ରାସ୍ତାରେ ଯିବା ମୁସକିଲ୍ ହୋଇପଡୁଛି । ଗଳି ରାସ୍ତା କଥା ଛାଡ଼ନ୍ତୁ, ମୁଖ୍ୟ ରାସ୍ତାରେ ବି ଜଳବନ୍ଦୀ ସ୍ଥିତି ଲାଗି ରହୁଛି । ଆଉ ଖାଲଖମା ଭର୍ତ୍ତି ରାସ୍ତାରେ ପାଣି ଜମିଲେ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ଯା ଆସ କରୁଛି ଗାଡ଼ି ମୋଟର । 

ସହରରେ କେବେ ହେବ ଡ୍ରେନେଜ୍ ସମସ୍ୟାର ସମାଧାନ । ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନେଜ୍ ସିଷ୍ଟମ ରହିଥିଲେ ବି ସବୁ ଫେଲ୍ ମାରିଥିବା ଅଭିଯୋଗ ହୋଇଛି । ବିଏମସି ଏଥିପ୍ରତି ଧ୍ୟାନ ଦେଇ ଉଚିତ ପଦକ୍ଷେପ ନେବାକୁ ଦାବି ହୋଇଛି ।