କନକ ବ୍ୟୁରୋ:  ସମଗ୍ର ଉତ୍ତର ଭାରତରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଅନେକ ରାଜ୍ୟରେ ପ୍ରବଳ ବର୍ଷା  ଏବ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଶେଷକରି ରାଜସ୍ଥାନ ଏବଂ ଜମ୍ମୁ-କାଶ୍ମୀରରେ ବର୍ଷା ଓ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ଓଡ଼ିଶାରେ ମଧ୍ୟ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି ।   ଲଗାଣ ବର୍ଷା ପରେ ବାଲେଶ୍ବର, ଭଦ୍ରକ ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି  ।  ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସମେତ ଅନେକ ରାଜ୍ୟରେ ଆଗାମୀ କିଛି ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି । ଉତ୍ତର ପ୍ରଦେଶର ୩୦ ଜିଲ୍ଲାକୁ  ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି ।  

Advertisment

ରାଜସ୍ଥାନରେ ବର୍ଷା ବିତ୍ପାତ:
ରାଜସ୍ଥାନର ଅନେକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ଯୋଧପୁର, ପାଲି, ବାଡମେର ଏବଂ ସିରୋହି ଜିଲ୍ଲାରେ ସ୍ଥିତି ଅଧିକ ଗମ୍ଭୀର ରହିଛି । ଲଗାଣ ବର୍ଷା ଯୋଗୁଁ ରାସ୍ତାଘାଟ ଜଳମଗ୍ନ ହୋଇଯାଇଥିବା ବେଳେ ତଳିଆ ଅଞ୍ଚଳରେ ଘରେ ପାଣି ପଶିଯାଇଛି । ଯୋଧପୁରରେ ଅନେକ ଟ୍ରେନ୍ ବାତିଲ କରାଯାଇଥିବା ବେଳେ ସଡ଼କ ପଥରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ (SDRF) ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ (NDRF) ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଅନେକ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ପୂର୍ବ ଏବଂ ପଶ୍ଚିମ ଭାଗରେ ବର୍ଷାର ପ୍ରକୋପ ଜାରି ରହିବ । 

ଜମ୍ମୁ-କାଶ୍ମୀରରେ ବନ୍ୟା ଓ ଭୂସ୍ଖଳନ:
ଜମ୍ମୁ-କାଶ୍ମୀରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ବିଗିଡିବାରେ ଲାଗିଛି । ଲଗାଣ ବର୍ଷା ଯୋଗୁଁ ଝେଲମ, ଚେନାବ ଏବଂ ତାୱି ଭଳି ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କାଶ୍ମୀର ଉପତ୍ୟକାର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅବରୋଧ ହୋଇଛି, ଫଳରେ ଯାତାୟାତ ଠପ୍ ହୋଇଯାଇଛି । ପବିତ୍ର ଅମରନାଥ ଯାତ୍ରାକୁ ମଧ୍ୟ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ନଦୀ କୂଳକୁ ନ ଯିବା ପାଇଁ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଉଦ୍ଧାର ଓ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । 

 ଦିଲ୍ଲୀ-ଏନସିଆର ସମେତ ଅନ୍ୟ ରାଜ୍ୟରେ ଆଲର୍ଟ:
ପାଣିପାଗ ବିଭାଗ ଦିଲ୍ଲୀ-ଏନସିଆରରେ ଆଗାମୀ ଦୁଇରୁ ତିନି ଦିନ ପାଇଁ ପ୍ରବଳ ବର୍ଷାର 'ଅରେଞ୍ଜ ଆଲର୍ଟ' ଜାରି କରିଛି । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବିଜୁଳି ଓ ଘଡ଼ଘଡ଼ିର ମଧ୍ୟ ସମ୍ଭାବନା ରହିଛି । ବର୍ଷା ଯୋଗୁଁ ଦିଲ୍ଲୀର ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଅନେକ ସ୍ଥାନରେ ପାଣି ଜମିବା କାରଣରୁ ଟ୍ରାଫିକ ସମସ୍ୟା ଦେଖାଦେଇପାରେ  ।