କନକ ବ୍ୟୁରୋ: ଅସ୍ତ୍ରବିରତି ପରେ ସୀମାରେ ଫେରିଛି ଶାନ୍ତି । ପାକିସ୍ତାନର ପ୍ରତି ଆକ୍ରମଣର ମୁହଁତୋଡ଼  ଜବାବ ଦେଇଛି ଭାରତ । ଭାରତର ସାମରିକ କାର୍ଯ୍ୟାନୁଷ୍ଠାନରେ ଧୂଳି ଚାଟିଛି ଆତଙ୍କୀସ୍ତାନ । ଶତ୍ରୁ ଦେଶକୁ ଭାରି କ୍ଷତି ସହିବାକୁ ପଡ଼ିଛି । ପାକିସ୍ତାନ ସହ ଯୁଦ୍ଧରେ ଭାରତ ନିଜର କିଛି ବୀର ଯବାନଙ୍କୁ ହରାଇଛି । କିଛି ସରକାରୀ ଅଧିକାରୀ ମଧ୍ୟ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ଜମ୍ମୁ-କାଶ୍ମୀର ପର୍ଯ୍ୟଟନଠୁ ଚାଷ ସବୁ କିଛି ଠପ ହୋଇପଡ଼ିଛି । ଆତଙ୍କୀ ଆକ୍ରମଣ ଓ ଭାରତ-ପାକିସ୍ତାନ ତିକ୍ତତା କାରଣରୁ ଜମ୍ମୁକାଶ୍ମୀରକୁ ବଡ଼ କ୍ଷତି ସହିବାକୁ ପଡ଼ିଛି ।

Advertisment

ଜମ୍ମୁ-କାଶ୍ମୀରର କ୍ଷତି 
ଭାରତ-ପାକିସ୍ତାନ ବିବାଦ ଜମ୍ମୁ-କାଶ୍ମୀରକୁ ବଡ଼ ଝଟକା ଦେଇଛି । ଜମ୍ମୁ-କାଶ୍ମୀର ପୁଲିସର ୨ଜଣ ଅଧିକାରୀ ସହିଦ ହୋଇଛନ୍ତି । ଭାରତୀୟ ସେନାର ୫ ଜଣ ଯବାନ ସହିଦ ହୋଇଛନ୍ତି । ସୀମାବର୍ତ୍ତୀ ଅଞ୍ଚଳ ସବୁଠୁ ଅଧିକ କ୍ଷତି ସହିଛି । ୨୦ରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ସାଧାରଣ ଲୋକଙ୍କ ଶହଶହ ଘର ଭାଙ୍ଗିଛି । ହଜାର ହଜାର ଲୋକ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି । ଜମ୍ମୁ-କାଶ୍ମୀର ପର୍ଯ୍ୟଟନ, ଚାଷ, ବ୍ୟବସାୟ ଓ ଶିଳ୍ପ ବଡ଼ କ୍ଷତି ସହିଛି । ଆତଙ୍କୀ ଆକ୍ରମଣ ପରେ ୬୦% କମିଛି ରାଜ୍ୟରେ ପର୍ଯ୍ୟଟନ ବ୍ୟବସାୟ । 

ହୋଟେଲ ବ୍ୟବସାୟରେ ଆୟ ବେଶ୍ କମିଛି । ଜମ୍ମୁ-କାଶ୍ମୀର ଅର୍ଥ ବ୍ୟବସ୍ଥାରେ ମୁଖ୍ୟଅଂଶ ହେଉଛି ଚାଷ ଓ ପର୍ଯ୍ୟଟନ । ପାକିସ୍ତାନର ଗୁଳିମାଡ଼ ପରେ ଚାଷୀମୁଣ୍ଡରେ ଚଡ଼କ ପଡ଼ିଛି । ବିଶେଷକରି ସୀମାବର୍ତ୍ତୀ ଗ୍ରାମାଞ୍ଚଳରେ ଉଜୁଡ଼ି ଯାଇଛି ଚାଷ । ଏଠାରେ ବାଦାମ, ଅଖରୋଟ, ଫଳ, ଖଜୁରୀ ଆଦି ଚାଷ କରାଯାଏ । ଆକ୍ରମଣରେ ଗୁଳିଗୋଳାରେ ଭର୍ତ୍ତି ହୋଇଛି ଚାଷଜମି । ଶୀତବସ୍ତ୍ର ପାଇଁ ଲୋକପ୍ରିୟ କାଶ୍ମୀର ବଜାର ଏବେ ଠପ୍ । ପର୍ଯ୍ୟଟକ ଆସୁ ନଥିବାରୁ ବ୍ୟବସାୟ ମାନ୍ଦା । 

ଜମ୍ମୁ-କାଶ୍ମୀର ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ହ୍ରାସ ପାଇଛି । ଦେଶ ବିଦେଶର ଅନେକ କମ୍ପାନି ଏଠାରେ ନିବେଶ କରନ୍ତି । ଏବେ କ୍ଷତି ଆଶଙ୍କାରେ ପଛଘୁଞ୍ଚା ଦେଇଛନ୍ତି ନିବେଶକ । ଆତଙ୍କବାଦୀ ଘଞ୍ଚ ଜଙ୍ଗଲରେ ଲୁଚନ୍ତି, ସର୍ଚ୍ଚ ଅପରେସନରେ ବାଧା ସାଜେ ଘଞ୍ଚ ଜଙ୍ଗଲ । ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଜଙ୍ଗଲ କଟାଯାଉଛି, ଫଳରେ ଯୁବପିଢ଼ି, ବ୍ୟବସାୟୀ, ସାଧାରଣ ଲୋକ ହତାଶ ହୋଇଛନ୍ତି ।