କନକବ୍ୟୁରୋ : କ୍ରିକେଟ ପ୍ରେମୀ। ସକାଳ ସାଢ଼େ ୯ଟାରେ ଟିକେଟ୍ କାଉଣ୍ଟର ଖୋଲିଥିଲା। ଆରମ୍ଭରୁ ସବୁକିଛି ସୁରୁଖୁରୁରେ ଚାଲିଥିଲା । କିଛି ସମୟ ପରେ ଆରମ୍ଭ ହୋଇଯାଇଥିଲା ଠେଲାପେଲା। ପୁରୁଷଙ୍କ ପାଇଁ ଏଣ୍ଟ୍ରି ଗେଟ୍ ଥିଲା ବେଳେ ବାହାରିବା ପାଇଁ ବାଟ ନଥିଲା । ଯେଉଁଥିପାଇଁ ବ୍ୟାରିକେଡ୍ ଭାଙ୍ଗିବାକୁ ବାଧ୍ୟ ହୋଇଥିଲା ପୁଲିସ। ଆଉ ଏହା ପରେ ଆରମ୍ଭ ହୋଇଯାଇଥିଲା ଧସ୍ତାଧସ୍ତି ।
ପ୍ରବଳ ଖରାରେ ବି ଟିକେଟ ପାଇଁ କମି ନଥିଲା ଉତ୍ସାହ। ଅସହ୍ୟ ଗୁଳୁଗୁଳି ହେଉଥିବାରୁ ସ୍ପ୍ରେ କରିଥିଲା ପୁଲିସ। ତଥାପି କିଛି ଲୋକେ ଚେତା ହରାଇ ବସିଥିଲେ। ବଡ଼ କଥା ହେଉଛି, ବାରମ୍ବାର ବାରବାଟୀରେ ଟିକେଟ୍ ପାଇଁ ଏଭଳି ଭିଡ଼ ହେଉଥିବା ବେଳେ ପୁଲିସ ଏହାକୁ ନିୟନ୍ତ୍ରଣ କରିବାକୁ ନାକେଦମ ହୋଇଛି ।
ପ୍ରାୟ ୩ ବର୍ଷ ପରେ ବାରବାଟୀକୁ ଦିନିକିଆ ଫେରିଥିବାରୁ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ସେଥିପାଇଁ ତ ମଙ୍ଗଳବାର ରାତି ୯ଟାରୁ ଲାଗିଥିଲା ଲମ୍ବା ଲାଇନ। ଏତେ ସମୟ ଧରି ଲାଇନ ରହିବା ପରେ ଯେଉଁମାନେ ଟିକେଟ୍ ପାଇଛନ୍ତି, ସେମାନଙ୍କ ମୁହଁରୁ ଖୁସି ସ୍ପଷ୍ଟ ବାରି ହେଉଥିଲା । ବାରବାଟୀ ବ୍ୟାଟଲ ପାଇଁ ପ୍ରସ୍ତୁତ କମିଶନରେଟ୍ ପୁଲିସ। ୬ରେ ନାଗପୁରରେ ପ୍ରଥମ ଦିନିକିଆ ପରେ ୭ରେ ଭୁବନେଶ୍ବରରେ ପହଞ୍ଚିବେ ଭାରତ ଓ ଇଂଲଣ୍ଡ ଟିମ ।
୮ରେ ଦୁଇ ଦଳ ବାରବାଟୀରେ ପର୍ଯ୍ୟାୟକ୍ରମେ ଅଭ୍ୟାସ କରିବେ। ଖେଳାଳିଙ୍କ ଆସିବା ଠାରୁ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ମୁତୟନ ରହିବେ ମୋଟ ୫୦ ପ୍ଲାଟୁନ ଫୋର୍ସ । ଟ୍ରାଫିକ ପାଇଁ ରୁଟ୍ ଲାଇନିଂ ମଧ୍ୟ ପ୍ରସ୍ତୁତ ସରିଛି । ଟିକେଟ୍ କାଉଣ୍ଟରରେ ଅସମ୍ଭାଳ ଭିଡ଼ ପରେ ପୁଲିସ ଆଗରେ ଏବେ ସୁରକ୍ଷା ବଡ଼ ଚ୍ୟାଲେଞ୍ଜ ଛିଡ଼ା ହୋଇଛି । ତେବେ ପ୍ରଶ୍ନ ଉଠୁଛି, ଟିକେଟ ବିକ୍ରି ପାଇଁ ପୂର୍ବରୁ ଘୋଷଣା ହୋଇଥିଲେ ବି କାହିଁକି ପ୍ରସ୍ତୁତ ନଥିଲା ପ୍ରଶାସନ? ଅବ୍ୟବସ୍ଥା ପାଇଁ ଦାୟୀ କିଏ ?