କନକ ବ୍ୟୁରୋ: ରଜ ପୂର୍ବରୁ ନିସ୍ତାର ନାହିଁ । ଉଠିବ ପାରଦ, କଲବଲ କରିବ ତାତି । ବଦଳୁଛି ପାଗ, ଦିନରେ ପ୍ରବଳ ଗରମ, ଅପରାହ୍ନରେ ଅଚାନକ ବର୍ଷା । ରାତିରେ ଅସହ୍ୟ ହେଉଛି ଗୁଳିଗୁଳି । ଆଗୁଆ ମୌସୁମୀ ଆସିଥିଲେ ବି ତାତିରୁ ଏଯାଏଁ ନିସ୍ତାର ମିଳିନି ବରଂ ଆହୁରି ସପ୍ତାହେରୁ ଅଧିକ ସମୟ ଏଭଳି ନାକେଦମ ହେବେ ରାଜ୍ୟବାସୀ । କାରଣ ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢ଼ିପାରେ ତାପମାତ୍ରା । ଓଡ଼ିଶା ଓ ସଂଲଗ୍ନ ରାଜ୍ୟ ସହିତ ସମସ୍ତ କେନ୍ଦ୍ରୀୟ ଓ ଉତ୍ତର ଭାରତରେ ଏଭଳି ସ୍ଥିତି ରହିବ । ୭ ଜୁନ୍ରୁ ୧୦ ଜୁନ୍ ମଧ୍ୟରେ ୪ ଡିଗ୍ରିରୁ ଅଧିକ ତାପମାତ୍ରା ବଢ଼ିବ । ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ୪୨ ଡିଗ୍ରି ଡେଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ଆସନ୍ତାକାଲି ପାଇଁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ ଓ ଗଜପତି ପାଇଁ ଆସନ୍ତା ୯ ତାରିଖ ଯାଏଁ ସମାନ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଅପରାହ୍ନରେ ପାଗରେ ପରିବର୍ତ୍ତନ ଆସୁଛି । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଦେଖିବାକୁ ମିଳୁଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା ଓ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ମଡେଲର ଆକଳନ ଅନୁଯାୟୀ, ଜୁନ୍ ୧୧ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହୋଇପାରେ , ଯାହାର ପ୍ରଭାବରେ ୧୩ ତାରିଖରୁ ତାପମାତ୍ରା କମିବା ସହ ବର୍ଷା ସମ୍ଭାବନା ରହିଛି ।