କନକ ବ୍ୟୁରୋ : ମା’ କାନ୍ଦୁଛି, ଗାଁ କାନ୍ଦୁଛି, କାନ୍ଦ ବୋବାଳିରେ ଫାଟିପଡୁଛି ପୂରା ଗାଁ । ଦାଦନ ଦୁଃଖ ଯେ କେତେ କଷ୍ଟକର ପୁଣି ସାମ୍ନାକୁ ଆସିଛି ତାହାର ଛାତିଥରା ଚିତ୍ର । ଜଣେ ସିନା ଦାଦନ ଖଟିବାକୁ ଯାଏ ହେଲେ ତାର କରୁଣ ପରିଣତି ଭୋଗିବାକୁ ପଡ଼େ ପୂରା ପରିବାରକୁ । ଦାଦନ ଦୁଃଖର ଏଭଳି କରୁଣ ଦୃଶ୍ୟ ସାମ୍ନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଭୂଖନପଡ଼ା ଗାଁରୁ ।
ପେଟପାଟଣା ପାଇଁ ଭୂଖନପଡ଼ାର ଯୁବକ ଗୋପୀନାଥ ଧରୁଆ ସେପ୍ଟେମ୍ବର ୧୫ ତାରିଖରେ ଦାଦନ ଖଟିବାକୁ ଗୋଆ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ପରିବାର ସହିତ ମଧ୍ୟ କଥା ହେଉଥିଲେ । ସବୁ କିଛି ଠିକ୍ଠାକ ଚାଲିଥିଲା । ହେଲେ ୨୪ ତାରିଖରେ ହଠାତ ବନ୍ଦ ହୋଇଗଲା ଗୋପୀନାଥଙ୍କ ମୋବାଇଲ । ପରିବାର ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ଆଉ ପୁଅ ସହ କଥା ହୋଇପାରିନଥିଲେ । ପରେ ଘରକୁ ଆସିଥିଲା ଅଜଣା କଲ୍ । ଆଉ ସେପଟୁ ଜଣେ ବ୍ୟକ୍ତି ହିନ୍ଦୀରେ କହିଥିଲେ, ଆପଣଙ୍କ ପୁଅର ମୃତ ଦେହ ମିଳିଛି । ଠିକଣା ପଚାରିବାରୁ ଜଣାପଡ଼ିଲା ମୁମ୍ବାଇ ।
ଅଧିକ ପଢ଼ନ୍ତୁ : ଆଦର୍ଶଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପୁଅକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଦେଲେ ପ୍ରତିଶ୍ରୁତି
ଗୋପୀନାଥଙ୍କ କ୍ଷତବିକ୍ଷତ ମୃତଦେହ ମୁମ୍ବାଇର ପୁରୁଣା ବସଷ୍ଟାଣ୍ଡ ଅଂଚଳରୁ ମିଳିଥିବା ଖବର ପରିବାର ଲୋକ ସୂଚନା ପାଇଥିଲେ । ହେଲେ ଗୋପୀନାଥଙ୍କୁ ଆଜିଯାଏଁ ଗାଁକୁ ଫେରାଇ ଅଣାଯାଇପାରିନାହିଁ । ଟଙ୍କା ଅଭାବରୁ ପୁଅର ମୃତଦେହକୁ ଆଣିପାରୁନାହାନ୍ତି ପରିବାର ଲୋକ । ଅକ୍ଟୋବର ଯାଇ ନଭେମ୍ବର ହେଲାଣି, ଦେଢ଼ ମାସ ବିତିଗଲାଣି କିନ୍ତୁ ମୃତଦେହ ଏବେ ବି ମୁମ୍ୱାଇର ଶବ ଗୃହରେ ରହିଛି । ଗରିବ ପରିବାର କିଭଳି ଟଙ୍କା ଖର୍ଚ୍ଚ କରି ପୁଅର ଶବକୁ ଆଣିବ, ସେନେଇ ଚିନ୍ତାରେ ।
ପରିବାରରେ ତିନି ଝିଅରେ ଗୋଟିଏ ପୁଅ ଥିଲେ ଗୋପୀନାଥ । ପୁଅକୁ ହରାଇ କାନ୍ଦବୋବାଳିରେ ଫାଟି ପଡୁଛି ଘର । ବାପା, ମା, ସ୍ତ୍ରୀ, ଛୁଆ, ଭଉଣୀ ଏବେ ସରକାରୀ ସହାୟତା ଅପେକ୍ଷାରେ । ତେବେ ଏହିଭଳି ଘଟଣା ସୁନ୍ଦରଗଡ଼ ପାଇଁ ନୂଆ ନୁହେଁ । ଜିଲ୍ଲାର ଯୁବକ ଯୁବତୀ ଦାଦନ ଖଟିବା ପାଇଁ ଯାଇଥାନ୍ତି ଆଉ ଶବ ହୋଇ ଫେରିଥାନ୍ତି । ହେଲେ ଟଙ୍କା ଅଭାବରୁ ପୁଅର ଶବ ଦେଢ଼ ମାସ ହେଲା ନ ଫେରିବା ଘଟଣା ପ୍ରଥମ । ପୁଅର ମୃତ ଦେହକୁ ଫେରାଇଆଣିବାକୁ ଗୁହାରି କରିଛନ୍ତି ବୁଢ଼ା ବାପା-ମା’ । ଅନ୍ୟପଟେ ଏହି ଘଟଣାକୁ ନେଇ ସହକାରୀ ଶ୍ରମ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ସରକାରୀ ସ୍ତରରେ ଯାହା ସୁବିଧା ଅଛି ଆମେ ତାହା ପ୍ରଦାନ କରିବୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/05/heartbreaking-story-2025-11-05-17-22-16.jpg)