କନକବ୍ୟୁରୋ : ହାର୍ଟଆଟାକ୍‌ ଏପରି ଏକ ଏପରି ସ୍ଥିତି, ଯେଉଁଥିରେ ପ୍ରତିଟି ସେକେଣ୍ଡ ମୂଲ୍ୟବାନ୍‌ । ଅନେକ ଥର ଏହି ଆଟାକ୍‌ ହଠାତ୍ ଆସିଥାଏ ଏବଂ ଯଦି ସେହି ସମୟରେ ଆପଣ ଏକୁଟିଆ ଥାଆନ୍ତି, ତେବେ ବିପଦ ଆହୁରି ବଢ଼ିଯାଏ । କିନ୍ତୁ କିଛି ଜରୁରୀ କଥା ପ୍ରତି ଧ୍ୟାନ ଦେଇ ଆପଣ ନିଜ ଜୀବନ ବଞ୍ଚାଇ ପାରିବେ । ଏହିପରି ସମସ୍ୟାରୁ ବଞ୍ଚିବା ପାଇଁ କରିବେ କ’ଣ ? 

Advertisment

ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ହୃଦଘାତ ଦ୍ୱାରା ପ୍ରଭାବିତ ହେଉଛନ୍ତି । ଗତ କିଛି ବର୍ଷ ହେବ ଯୁବକମାନଙ୍କଠାରେ ମଧ୍ୟ ହଠାତ୍ ହୃଦଘାତ ମାମଲା ଅଧିକ ଦେଖିବାକୁ ମିଳୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ୨୦୧୯ ମସିହାରେ ହୃଦରୋଗ କାରଣରୁ ପ୍ରାୟ ୧.୭୯ କୋଟି ଲୋକଙ୍କର ମୃତ୍ୟୁ ହୋଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଏଥିମଧ୍ୟରୁ ୮୫ ପ୍ରତିଶତ ମୃତ୍ୟୁ ହୃଦଘାତ ଏବଂ ଷ୍ଟ୍ରୋକ୍ କାରଣରୁ ହୋଇଥିଲା । ହୃଦଘାତ ଅନେକ ଥର କୌଣସି ପୂର୍ବ ଲକ୍ଷଣ ବିନା ହଠାତ୍ ଆସିଥାଏ । କିନ୍ତୁ ଯଦି ଏକୁଟିଆ ଥିବା ଅବସ୍ଥାରେ ହାର୍ଟଆଟାକ୍‌ ହୁଏ ତେବେ ! ଏଭଳି ପରିସ୍ଥିତିରେ ଆପଣ କ’ଣ କରିପାରିବେ ? 

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରଥମେ ହାର୍ଟଆଟାକ୍‌ର ଲକ୍ଷଣଗୁଡ଼ିକୁ ଚିହ୍ନିବା ଜରୁରୀ । ଯେମିତିକି ଛାତିରେ ପ୍ରବଳ ଯନ୍ତ୍ରଣା, ଚାପ କିମ୍ବା ଭାରି ଅନୁଭବ ହେବା । ସେହି ଯନ୍ତ୍ରଣା ବାମ ହାତ, କାନ୍ଧ, ପିଠି, ବେକ କିମ୍ବା ମାଢ଼ି ପର୍ଯ୍ୟନ୍ତ ବ୍ୟାପିପାରେ। ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା । ମୁଣ୍ଡ ବୁଲାଇବା କିମ୍ବା ବେହୋସ୍ ହେବା ଭଳି ଲାଗିବା । ଅସ୍ୱାଭାବିକ ଭାବେ ଝାଳ ବୋହିବା , ବାନ୍ତି ଲାଗିବା କିମ୍ବା ବାନ୍ତି ହେବା ।

ଏକୁଟିଆ ଥିବାବେଳେ ହୃଦଘାତ ହେଲେ କ'ଣ କରିବେ ?

ଲକ୍ଷଣ ଅନୁଭବ କରିବାର କିଛି ମିନିଟ୍ ମଧ୍ୟରେ ହିଁ ତୁରନ୍ତ ଆମ୍ବୁଲାନ୍ସ ଡକାନ୍ତୁ , ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନିଜେ ଗାଡ଼ି ଚଳାଇ ହସ୍ପିଟାଲ ଯିବାକୁ ଚେଷ୍ଟା କରନ୍ତୁ ନାହିଁ, କାରଣ ରାସ୍ତାରେ ଆପଣଙ୍କ ଅବସ୍ଥା ଗୁରୁତର ହୋଇପାରେ ଏବଂ ଆପଣ ବେହୋସ୍ ହୋଇଯାଇପାରନ୍ତି । 

ଆମ୍ବୁଲାନ୍ସକୁ ଅପେକ୍ଷା କରିବା ସମୟରେ ଏକ ଆରାମଦାୟକ ସ୍ଥିତିରେ ବସି ପଡ଼ନ୍ତୁ । ହାର୍ଟଆଟାକ୍ ଆସିବା ସମୟରେ ଚଟାଣରେ ଆଣ୍ଠୁକୁ ବଙ୍କା କରି ଏବଂ ମୁଣ୍ଡ ଓ କାନ୍ଧକୁ ତକିଆ ସାହାଯ୍ୟରେ ଉପରକୁ ରଖି ଶୋଇବା ଏକ ଭଲ ସ୍ଥିତି । ଏହାଦ୍ୱାରା ହୃତପିଣ୍ଡ ଉପରେ ଚାପ କମିଥାଏ । ଛିଡ଼ା ହୋଇ ରୁହନ୍ତୁ ନାହିଁ କିମ୍ବା ଚାଲବୁଲା କରନ୍ତୁ ନାହିଁ ।

ଭୟଭୀତ ନ ହୋଇ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ଭୟଭୀତ  ହେଲେ ଶରୀରରେ ଚାପ ବଢ଼ିଥାଏ, ଯାହାକି ହାର୍ଟ ଉପରେ ଅଦିକ ପ୍ରଭାବ ପଡ଼େ । ଧୀରେ ଧୀରେ ଓ ଗଭୀର ଭାବରେ ନିଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କୁ ଶାନ୍ତ ରଖିବାରେ ସାହାଯ୍ୟ କରିବ । 

ହୃଦଘାତର ଲକ୍ଷଣକୁ ଗ୍ୟାସ୍ ବା ଅନ୍ୟ କୌଣସି ସାମାନ୍ୟ ସମସ୍ୟା ଭାବି ଅବହେଳା କରନ୍ତୁ ନାହିଁ । ସେହି ସମୟରେ କିଛି ବି ଖାଦ୍ୟ କି ପାନୀୟ ଗ୍ରହଣ କରନ୍ତୁ ନାହିଁ । ତେବେ ସମୟ ନଷ୍ଟ ନ କରି ତୁରନ୍ତ ଡାକ୍ତରୀ ସହାୟତା ପାଇଁ ଯୋଗାଯୋଗ କରିବା ହେଉଛି ଜୀବନ ବଞ୍ଚାଇବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।