କନକ ବ୍ୟୁରୋ : ବୃନ୍ଦାବନର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିର ପାଇଁ ପ୍ରସ୍ତାବିତ କରିଡର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ମନ୍ଦିରର ମାଲିକାନାକୁ ନେଇ ସେବାୟତଙ୍କ ଦାବି ଉପରେ କୋର୍ଟ ପ୍ରଶ୍ନ କରିଛନ୍ତି, " ଦେବତା କିପରି କାହାର ବ୍ୟକ୍ତିଗତ ହୋଇପାରିବେ ?" ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉତ୍ତର ପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି , ରାଜ୍ୟ ସରକାର କିପରି ଏକ ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରିପାରିବେ । କୋର୍ଟ କହିଥିଲେ, "ଯଦି ରାଜ୍ୟ ସରକାର ଏପରି ବ୍ୟକ୍ତିଗତ ମାମଲାଗୁଡ଼ିକୁ ନିଜ ହାତକୁ ନେବା ଆରମ୍ଭ କରନ୍ତି, ତେବେ ଏହା ଆଇନର ଶାସନ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବ । ଆପଣ ମାମଲାକୁ ଏପରି ହାଇଜ୍ୟାକ୍ କରିପାରିବେ ନାହିଁ ।"

Advertisment

ସୂଚନା ଅନୁସାରେ ବୃନ୍ଦାବନରେ ବଢୁଥିବା ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ସୁବିଧା ଯୋଗାଇବା ପାଇଁ ଉତ୍ତର ପ୍ରଦେଶ ସରକାର ବାଙ୍କେ ବିହାରୀ ମନ୍ଦିର ଚାରିପାଖରେ ଏକ ବିଶାଳ କରିଡର ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ଏହି ଯୋଜନା ଅଧୀନରେ ମନ୍ଦିର ଚାରିପାଖରେ ଥିବା ୫ ଏକର ଜମି ଅଧିଗ୍ରହଣ କରାଯିବ । ତେବେ, ସେଠାକାର ସେବାୟତ ପରିବାରମାନେ ଏହାକୁ ବିରୋଧ କରୁଛନ୍ତି  , କାରଣ ସେମାନେ ମନ୍ଦିରକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ବୋଲି ଦାବି କରନ୍ତି । ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।