କନକ ବ୍ୟୁରୋ : ବର୍ତ୍ତମାନ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସବୁଠୁ ବଡ଼ ସମସ୍ୟା ପାଲଟିଛି । ଅନେକ ଜିଲ୍ଲାରେ ଡାକ୍ତରଖାନା ନାହିଁ, ତ କେଉଁଠି ଡାକ୍ତର ନାହାଁନ୍ତି । ହେଲେ ଆମେ ଏବେ ଯେଉଁ ଜିଲ୍ଲା ବିଷୟରେ କହିବୁ ଏହା କୌଣସି ଉପାନ୍ତ ନୁହେଁ ବରଂ ଖୋର୍ଦ୍ଧା ଜିଲ୍ଲା । ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି ପଡ଼ିଛି । ଅନେକ ଅବ୍ୟବସ୍ଥା ଭିତରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନା । 

Advertisment

ଖୋର୍ଦ୍ଧାର ଖରାପ ସ୍ବାସ୍ଥ୍ୟସବା । ଡାକ୍ତର ନଥିବା ଡାକ୍ତରଖାନାରେ ବିପର୍ଯ୍ୟସ୍ତ ବ୍ୟବସ୍ଥା । ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ୬ମାସରୁ ଅଧିକ ସମୟ ହେବ ନାହାନ୍ତି ଭେଷଜ ବିଭାଗର ବିଶେଷଜ୍ଞ ଡାକ୍ତର । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାମଚଳା ଭାବେ ଯେଉଁ ୨ଜଣ ହୃଦ୍‌ରୋଗ ବିଶେଷଜ୍ଞଙ୍କୁ ଦାୟିତ୍ବ ଦଆଯାଇଥିଲା, ସେମାନଙ୍କ ମଧ୍ୟରୁ ଜଣେ ପଦୋନ୍ନତି ପାଇଁ ଅନ୍ୟତ୍ର ଚାଲିଯାଇଛନ୍ତି, ଆଉ ଜଣେ ପ୍ରସୂତିକାଳୀନ ଛୁଟିରେ ଅଛନ୍ତି । 

କେବଳ, ଏହି ଗୋଟିଏ ବିଭାଗ ନୁହେଁ । ନିଶ୍ଚେତକ, ଯକ୍ଷ୍ମା, ଅସ୍ତ୍ରୋପଚାର ବିଭାଗ ଅବସ୍ଥା ବି ସମାନ । ମୁଖ୍ୟ ଚିକିତ୍ସାଳୟର ୯୧ଟି ଡାକ୍ତରୀ ପଦବୀରୁ ୪୬ଟି ପଦବୀ ଖାଲି ପଡ଼ିଛି । ଟେକ୍ନିସିଆନ, ନର୍ସ ବି ଆବଶ୍ୟକ ମୁତାବକ ନାହାଁନ୍ତି । ସେହି ଭଳି ଟ୍ରମାକେୟାର,ଆଇସିୟୁ ଏସବୁ ଅଚଳ ହୋଇପଡ଼ିଛି । 

୨୦୦୭ରୁ ଗୋପବନ୍ଧୁ ଜିଲ୍ଲା ଡାକ୍ତରଖାନା କାର୍ଯ୍ୟକ୍ଷମ ହୋଇଛି । ଏହି ଡାକ୍ତରଖାନା ଉପରେ ଖୋର୍ଦ୍ଧା ଜିଲ୍ଲା ସମେତ କଟକ, ନୟାଗଡ଼ ଜିଲ୍ଲାର ହଜାର ହଜାର ରୋଗୀ ନିର୍ଭର କରିଥାନ୍ତି । ତେଣୁ ତୁରନ୍ତ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରିବା ସହ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।