କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଲଖନାପଡ଼ା, ବିଜରାଦର ଓ ବେହେରାଗୁଡ଼ା ଆଦି ତିନିଟି ଗାଁ ମ୍ୟାଲେରିଆ ପ୍ରବଣ ହୋଇଥିବା ବେଳେ ଲୋକ ପାହାଡ଼ ଚଢ଼ି ଡାକ୍ତରଖାନା ଯାଇପାରନ୍ତି ନାହିଁ। ତେବେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ଦମନ ଟିମ୍ ଦମ୍ ଦେଖାଇଛି। ଖାଲଖମା ଭରା ପାହାଡ଼ିଆ ରାସ୍ତାରେ ବାଇକ୍ ଯୋଗେ ଓ ଚାଲିଚାଲି ଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି । ସ୍ବାସ୍ଥ୍ୟ ଶିବିରରେ ୨୫ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ଗାଁର ସମସ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇଛି । 
 
ଭାରତୀୟ ହ୍ୟୁମାନ ରାଇଟ୍ସ କାଉନସିଲ ସଂସ୍ଥାର କର୍ମକର୍ତ୍ତା କିଛିଦିନ ତଳେ ଏହି ଅଞ୍ଚଳ ପରିଦର୍ଶନ କରିଥିଲେ ।  ଗାଁ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ଓ ମ୍ୟାଲେରିଆ ବ୍ୟାପୁଥିବା ଜାଣିବା ପରେ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିଲା। ଜୁନାଗଡ଼ ସ୍ୱାସ୍ଥ୍ୟ ବିଭାଗର ଦମନ ଟିମ୍ ବୁଢ଼ୀଦର ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଲଖନାପଡ଼ାକୁ ଯାଇଥିଲେ । ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଔଷଧ ପ୍ରଦାନ କରାଯାଇଛି । ଅଞ୍ଚଳବାସୀ ଦମନ ଟମକୁ ପ୍ରଶଂସା କରିଛନ୍ତି । ପୂର୍ବରୁ ଦାନ ମାଝୀ ଘଟଣାରୁ ଆରମ୍ଭ କରି ଅନେକ ଘଟଣାରେ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବହୁ ବଦନାମ ମୁଣ୍ଡାଇ ଥିଲା । ଏବେ ସ୍ବାସ୍ଥ୍ୟସେବାରେ ସୁଧାର ଆସୁଛି ।