କନକ ବ୍ୟୁରୋ : ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା । ଜିଲ୍ଲାରେ ଖାଲି ପଡ଼ିଛି ଡାକ୍ତର ପଦବୀ । କେଉଁଠି ବି ଆବଶ୍ୟକ ନର୍ସ କି ସ୍ୱାସ୍ଥ୍ୟକର୍ମୀ ନାହାନ୍ତି। ଆବଶ୍ୟକ ଶଯ୍ୟା ବି ନାହିଁ । ୫ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ରୋଗୀଙ୍କ ପାଇଁ ରେଫରାଲ୍ ସେଣ୍ଟର ପାଲଟିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାୟଗଡ଼ା ବାସିନ୍ଦା ।
ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ଡାକ୍ତରଖାନାରେ ମିଳୁନି ଶଯ୍ୟା । ତଳେ ଚିକିତ୍ସିତ ହେଉଛନ୍ତି ରୋଗୀ , ସେଇଠି ଖାଉଛନ୍ତି । ଏପଟେ ଦେଖନ୍ତୁ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆସିଥିବା ଦିବ୍ୟାଙ୍ଗ ଭାଇଭଉଣୀ ଠେଲାପେଲା ହେଉଛନ୍ତି । ରକ୍ତ ପରୀକ୍ଷା ପାଇଁ ବି ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ବ୍ଳକରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଅନୁରୂପ ଅବସ୍ଥା ।
ଜିଲ୍ଲାରେ ବର୍ଷବର୍ଷ ଧରି ଶହଶହ ଡାକ୍ତରୀ ପଦବୀ ଖାଲି ରହୁଛି । ରାୟଗଡ଼ାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୁଣପୁରରେ ଗୋଟିଏ ସବ୍ଡିଭିଜନ ଚିକିତ୍ସାଳୟ ଓ ମୋଟ ୩୪ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ଏଥିପାଇଁ ୪୬୧ ଜଣ ଡାକ୍ତର ଆବଶ୍ୟକ ଥିବା ସ୍ଥଳେ ଅଛନ୍ତି ମାତ୍ର ୧୩୨ ଡାକ୍ତର , ୯୯ଟି ନର୍ସ ପଦବୀ ଖାଲି । ୮୯ ଜଣ ଫାର୍ମାସିଷ୍ଟଙ୍କ ଜାଗାରେ ଅଛନ୍ତି ୨୨ ଜଣ । ୨୧ଟି ବିଶେଷଜ୍ଞ ପଦବୀ ବି ଖାଲି ପଡ଼ିଛି ଏବଂ ୨୫ ସ୍ବାସ୍ଥ୍ୟକର୍ମୀ ବି ନାହାନ୍ତି । ଏହି ସଂଖ୍ୟା ହିଁ ଜିଲ୍ଲା ସ୍ବାସ୍ଥ୍ୟ ବ୍ୟବସ୍ଥାର ପ୍ରକୃତ ସ୍ଥିତି ବୟାନ କରୁଛି ।
ରାୟଗଡ଼ାରେ ମେଡିକାଲ କଲେଜ କରିବା ନେଇ ୨୦୧୪ରେ ବିଧାନସଭାରେ କହିଥିଲେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ୩୨୭.୪୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ୨୦୧୯ ନିର୍ବାଚନ ପୂର୍ବରୁ ଆକାଂକ୍ଷା ଜିଲ୍ଲା ଯୋଜନାରେ ରାୟଗଡ଼ା ସାମିଲ ହେବା ପରେ କେନ୍ଦ୍ର ସରକାର ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ଡିପିଆର୍ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଘୋଷଣା କେବଳ ପ୍ରତିଶ୍ରୁତିରେ ସୀମିତ ।