କନକ ବ୍ୟୁରୋ:           MKCG  ରେ ରୋଗୀ ହଟହଟା
                            ଉପର ଚକାଚକ୍ ଭିତର ଫମ୍ପା 
ଆମେ କହୁଛୁ ବ୍ରହ୍ମପୁର ( ମହାରାଜ କୃଷ୍ଣଚନ୍ଦ୍ର ଗଜପତି) ତଥା ଏମକେସିଜି ମେଡିକାଲ କଲେଜ କଥା । ଦକ୍ଷିଣ ଓଡିଶାର ବଡ଼ ମେଡିକାଲ , ଯାହା ଉପରେ ନିର୍ଭର କରନନ୍ତି ରାଜ୍ୟର ୯ ଜିଲ୍ଲା ସହ ଆନ୍ଧ୍ର ରୋଗୀ। ହେଲେ ଏଠିକି ଭରଷି ଆସୁଥିବା ରୋଗୀ କିନ୍ତୁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯାହା ଅନେକ ସମୟରେ ବିବାଦ ଘେରକୁ ଆସୁଛି ।

Advertisment

ଏବେ ଏମକେସିଜିକୁ ପୁଣି ବିବାଦ ଭିରତରକୁ ଟାଣିଛି ଅକ୍ସିଜେନ୍ ସିଲିଣ୍ଡର । ନାଁ ବଡ଼ ଡାକ୍ତର ଖାନା ହେଲେ ନାହିଁ ସର୍ବନିମ୍ନ ସୁବିଧା , ଯାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି । ଏମକେସିଜିର ସୁପର ସ୍ପେଶାଲିଟି କୋଠା ପାଖରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ୨ ଜଣ ନବଜାତଙ୍କୁ ଇକୋ ଚିକିତ୍ସା ଲାଗି ଏଠାକୁ ଅଣାଯାଇଥିଲା । କିନ୍ତୁ ଦୁଇ ଶିଶୁଙ୍କ ଲାଗି ହସ୍ପିଟାଲରେ ନଥିଲା ଦୁଇଟି ଅକ୍ସିଜେନ୍ ସିଲିଣ୍ଡର । ବାଧ୍ୟ ହୋଇ ଦୁଇ ଶିଶୁଙ୍କ ପାଇଁ ଲାଗିଲା ଗୋଟିଏ ସିଲିଣ୍ଡର । ତା ପୁଣି ହସ୍ପିଟାଲ ବାହାରେ ।
 ଏମକେସିଜିରେ ଏଭଳି ଘଟଣା ପ୍ରଥମ ନୁହେଁ ବରଂ ଏହା ପୂର୍ବରୁ ଠିକ୍ ଏଭଳି ଘଟଣା ବାରମ୍ବାର ଘଟିଆସିଛି । ତଥାପି ସ୍ଥିତିରେ ସୁଧାର ନାହିଁ । ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆରଡିସି । କିନ୍ତୁ ୟା ପୂର୍ବରୁ କ’ଣ ତାଙ୍କ ଆଖିରେ କିଛି ପଡ଼ିନଥିଲା?
   
ଏହି ଘଟଣା ପୂର୍ବରୁ ଆଉ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପିଜି ପରୀକ୍ଷା ପାଇଁ ଏକାବେଳକେ ୨୨ ଜଣ ଡାକ୍ତର ଛୁଟିରେ ପଳାଇଲେ । ଫଳରେ ଚିକିତ୍ସା କାର୍ଯ୍ୟରେ ନାହିଁନଥିବା ସମସ୍ୟା ଦେଖାଯାଇଥିଲା । ଏତିକିରେ ସରୁନି ଏମକେସିଜିର ଖୁଣ । କେବେ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ନାହିଁ ତ କେବେ ହସ୍ପିଟାଲର ଛାତ ସିଲିଂ ଛିଡ଼ିପଡ଼ୁଛି । ଏସବୁ ଭିତରେ ଖାଲି ରୋଗୀ ଛଟପଟ ହେଉଛନ୍ତି ଯାହା । ବାରମ୍ବାର ଏଠାରେ ବଡ଼ ବଡ଼ ଅବ୍ୟବସ୍ଥା ସାମ୍ନାକୁ ଆସୁଥିଲେ ବି କିଛି ଠୋସ୍ ପଦକ୍ଷେପ ନିଆଯାଉନି କି କାହା ବିରୋଧରେ କିଛଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଫଳରେ ବାରମ୍ବାର ଏଭଳି ଘଟଣା ଘଟୁଛି । 
 
 ଆଗରୁ ଯେପରି ଅଘଟଣ ଘଟୁଥିଲା ଏବେ ବି ସେଥିରେ ବ୍ରେକ୍ ନାହିଁ । ଆଗରୁ ସିନା ବିଜେପି ବିରୋଧୀ ଭାବେ ସବୁ ସମସ୍ୟା ଲାଗି ବିଜେଡି ସରକାରଙ୍କୁ ଦୋଷ ଦେଉଥିଲା  । ହେଲେ ରାଜ୍ୟରେ ବିଜେପି ସରକାରଙ୍କୁ ତ ବର୍ଷେ ପୂରିଗଲାଣି । କାହିଁ କିଛି ତ ସୁଧାର ନାହିଁ। ବାହାରୁ ସିନା ଚକାଚକ୍ ବିଲ୍ଡିଂ କିନ୍ତୁ ଭିତରେ ଭାରି ଅବ୍ୟବସ୍ଥା।

ବଡ଼  ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର
କେବେ ସୁଧୁରିବ ସମସ୍ୟା?


ଖାଲି ଏମକେସିଜିରେ ନୁହେଁ  କଟକ ଏସସିବି ମେଡ଼ିକାଲରେ ନାହିଁନଥିବା ସମସ୍ୟା । ସାରା ଓଡ଼ିଶା ପାଇଁ ସବୁଠୁ ବଡ଼ ଭରସା କଟକ ବଡ଼ ମେଡିକାଲ । କେବଳ ଓଡ଼ିଶା ନୁହେଁ ପଡ଼ୋଶୀ ରାଜ୍ୟମାନଙ୍କ ପାଇଁ ମଧ୍ୟ ରାଜ୍ୟର ଏହି ହସ୍ପିଟାଲ ଏବେ ଭରସା ପାଲଟିଛି । ପ୍ରତିଦିନ ହଜାର ହଜାର ରୋଗୀ ଏଠାକୁ ଆସୁଛନ୍ତି । ହେଲେ ଏହି ହସ୍ପିଟାଲରେ ରହିଛି ଅନେକ ସମସ୍ୟା । ଯୁଆଡ଼େ ଦେଖିବ ରୋଗୀ ଅସୁବିଧାରେ ଦହଗଞ୍ଜ । ଏକଥା ଆମେ କହୁନି ଏକଥା ନିଜେ ରୋଗୀ ଓ ତାଙ୍କ ସମ୍ପର୍କୀୟ କହିଛନ୍ତି । 

କଟକ ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ସରକାର ସ୍ୱପ୍ନ ଦେଖୁଛନ୍ତି । ଶହ ଶହ ଅଭିଜ୍ଞ ଡାକ୍ତରଙ୍କ ସହ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଆଉ ଆବଶ୍ୟକତାଠାରୁ ଅଧିକ ବେଡର ଯୋଜନା ବି ରହିଛି । ହେଲେ ଏହି କାମ ପୂର୍ବରୁ ବଡ଼ ମେଡିକାଲରେ କିନ୍ତୁ ଦେଖାଯାଉନି ବିଶ୍ୱସ୍ତରୀୟର କୌଣସି ନାଁ ଗନ୍ଧ । ଆଖି ବୁଲେଇଲେ ସମସ୍ୟା ହିଁ ସମସ୍ୟା । ମାଳ ମାଳ ରୋଗୀଙ୍କୁ ମାତ୍ର ଗୋଟିଏ ଦୁଇଟି ଚିକିତ୍ସା ଉପରକଣ ବାଧକ ସାଜିଛି । ଯେଉଁଥିପାଇଁ ଦୂରଦୂରାନ୍ତରୁ ଆସିଥିବା ରୋଗୀ ହଇରାଣ ହେଉଛନ୍ତି । 

ବଡ଼ ମେଡିକାଲରେ ବର୍ତ୍ତମାନ ବଡ଼ ସମସ୍ୟା ସାଜିଛି ରୋଗୀଙ୍କ ଅଲ୍ଟ୍ରାସାଉଣ୍ଡ । ଅଲ୍ଟ୍ରାସାଉଣ୍ଡ ପାଇଁ ସବୁ ବିଭାଗର ରୋଗୀଙ୍କ ପାଇଁ ରଞ୍ଜନ ରଶ୍ମୀ ବିଭାଗ ରହିଛି, ଯେଉଁଠି ଅଲ୍ଟ୍ରାସାଉଣ୍ଡ ହେଉଛି । ଯଦି ଆପଣଙ୍କ ପେଟ ସମସ୍ୟା ଥାଏ, କିମ୍ୱା ସର୍ଜରି ପାଇଁ ଡାକ୍ତର ଅଲ୍ଟ୍ରା ସାଉଣ୍ଡ ପାଇଁ ଲେଖିଥାଆନ୍ତି ତେବେ ଆପଣ ଏହି ଗୋଟିଏ ସ୍ଥାନରେ ହିଁ ଅଲ୍ଟ୍ରାସାଉଣ୍ଡ କରିବେ । ହେଲେ ସମସ୍ୟା ହେଉଛି ଗର୍ଭବତୀ ମହିଳାଙ୍କ ପାଇଁ । ଗର୍ଭବତୀ ମହିଳାଙ୍କ ପାଇଁ ଅଲ୍ଟ୍ରାସାଉଣ୍ଡ ନିହାତି ଆବଶ୍ୟକ, ଆଉ ସେମାନେ ବି ଏହିଠାରେ ଅଲ୍ଟ୍ରାସାଉଣ୍ଡ କରିଥାଆନ୍ତି । ଏତେ ରୋଗୀଙ୍କ ଭିତରେ ବେଳେ ବେଳେ ରୋଗୀମାନେ ଅଲଣ୍ଟ୍ରାସାଉଣ୍ଡ ନକରି ଫେରିଯାଆନ୍ତି । କାରଣ ସେମାନଙ୍କୁ ସମୟ ଦେଇଦିଆଯାଏ କି ଆଜି ହୋଇପାରିବନି ଆପଣ କାଲି ଆସନ୍ତୁ । 

ଏଭଳି କ୍ଷେତ୍ରରେ ସମସ୍ୟା ଭୋଗୀ ଥାଆନ୍ତି ଗର୍ଭବତୀ ମହିଳା । ସେମାନେ ଯଦି ସଠିକ ସମୟରେ ଅଲ୍ଟ୍ରାସାଉଣ୍ଡ ନକରି ଫେରିଯାଆନ୍ତି ଆଉ ଡାକ୍ତର ନଦେଖନ୍ତି ତେବେ ସେମାନେ ଅସୁବିଧାରେ ପଡ଼ିବେ । ତେଣୁ ଅନେକ ଲୋକ ବଡ଼ ମେଡିକାଲରୁ ମୁହଁ ଫେରାଇ ପ୍ରାଇଭେଟ୍‌ ମୁହାଁ ହେଉଛନ୍ତି । ଯାହା ପାଖରେ ଟଙ୍କା ଅଛି ସେମାନେ ପ୍ରାଇଭେଟ୍‌ ହସ୍ପିଟାଲ ଗଲେ, ଆଉ ଗରିବ ଲୋକ କରିବେ କଣ ? ଏସସିବିରେ ପଡ଼ି ପଡ଼ି ଶେଷରେ ନିଜ ଜୀବନକୁ ବାଜି ଲଗାଉଛନ୍ତି । ଆଉ ଏସସିବିରେ ଅଲ୍ଟ୍ରାସାଉଣ୍ଡ ପାଇଁ କର୍ମଚାରୀ ଦେଇ ଚାଲିଛନ୍ତି ଖାଲି ତାରିଖ ପରେ ତାରିଖ । ଯାହା ଘର ପାଖ ସେମାନେ ତ କାଲି ଆସି କରିଦେବେ ହେଲେ ଯେଉଁମାନେ ଦୂରରୁ ଆସୁଛନ୍ତି ସେମାନେ କରିବେ ବା କଣ ? ଶେଷରେ ବାଧ୍ୟ ହୋଇ ବଡ଼ ମେଡିକାଲର ବଡ଼ ବାରଣ୍ଡରେ ସେମାନେ ରାତି ବିତାଇଥାଆନ୍ତି । 

ଏତେ ବଡ଼ ହସ୍ପିଟାଲରେ କାମ କରୁଛି ମାତ୍ର ୨ଟି ଅଲ୍ଟ୍ରାସାଉଣ୍ଡ ମେସିନ୍ । ଗୋଟିଏ ମେସିନରେ କାମ କଲେ ଅନ୍ୟ ମେସିନ ବନ୍ଦ ରହୁଛି । ତେବେ ସମସ୍ୟା ରହୁଛି କେଉଁଠି । ଯଦି ସ୍ତ୍ରୀ ପ୍ରସୂତି ବିଭାଗରେ ଅଲ୍ଟ୍ରାସାଉଣ୍ଡର ସୁବିଧା ଥାଆନ୍ତା ତେବେ ଗର୍ଭବତୀ ମହିଳା ଏତେ ସମସ୍ୟା ଭୋଗିନଥାନ୍ତେ । ସେମାନେ ସୁରୁଖୁରରେ ଅଲଣ୍ଟ୍ରାସାଉଣ୍ଡ କରି ଡାକ୍ତର ଦେଖାଇପାରନ୍ତେ । ତେବେ ଏହି ବିଭାଗରେ ଅଲ୍ଟ୍ରାସାଉଣ୍ଡ କରିବାକୁ ଆସି ହଇରାଣ ହେଉଥିବା ରୋଗୀ କହିଥିଲେ।  ଏ ଖବର କିଛି ସପ୍ତାହ ତଳର ଘଟଣା । 

ଅବଶ୍ୟ ଏ ଘଟଣା ଗଣମାଧ୍ୟମରେ ପ୍ରସାରଣ ହେବା ପରେ ମେଡିକାଲ କର୍ତ୍ତପକ୍ଷ ଚେତିଲେ । ଖବର ବାଜିବାର କିଛି ଦିନ ପରେ ଆସିଥିଲା ଦୁଇଟି ଅଲ୍ଟ୍ରା ସାଉଣ୍ଡ ମେସିନ୍ । କେବଳ ଏହି ସମସ୍ୟା ନୁହେଁ ଏଠି ବେଡ୍ ଅଭାବରୁ ବି ଗୁରୁତର ରୋଗୀ ତଳେ ପଡ଼ି ରହୁଛନ୍ତି ରୋଗୀ । 

ଆଉ ସମ୍ବଲପୁର ବୁର୍ଲା ବଡ଼ ମେଡିକାଲର ଅବ୍ୟବସ୍ଥା କଥା ନକହିବା ଭଲ । କେତେବେଳେ ଲାଇନ୍ ଚାଲିଯାଉଛି କେତେବେଳେ ଡାକ୍ତର ରହୁନାହାନ୍ତି । ଘଣ୍ଟା ଘଣ୍ଟା ଧରି ଲାଇନ୍ ରହୁନଥିବାରୁ ମୋବାଇଲରେ ହେଉଛି ଚିକିତ୍ସା । ଅବଶ୍ୟ ଏ ଘଟଣା କେବଳ ବୁର୍ଲା ମେଡିକାଲରେ ଘଟୁନି । ବିଭିନ୍ନ ସରକାରୀ ହସ୍ପିଟାଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଏଭଳି କ୍ରମାଗତ ସମସ୍ୟା ରାଜ୍ୟ ସରକାରଙ୍କ ତତ୍ପରତାକୁ ସ୍ପଷ୍ଟ କରୁଛି । 

 ଖାଲି ଏତିକି ନୁହେଁ ମେଡିକାଲରେ ନାହିଁ ଆମ୍ବୁଲାନ୍ସ ।କେଉଁଠି ଆମ୍ବୁଲାନ୍ସର ଛାତ କଣା ହୋଇ ବର୍ଷା ପାଣି ଗଳୁଛି ତ ଆଉ କେଉଁଠି ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ୍ ବ୍ୟବସ୍ଥା ନଥିବାରୁ ଅଧାବାଟରେ ଚାଲିଯାଉଛି ରୋଜୀଙ୍କ ଜୀବନ ।  ପୁଣି କେଉଁଠି ଖାମଖିଆଲି ଯୋଗୁଁ ଠିକଣା ସ୍ଥାନରେ ଆମ୍ବୁଲାନ୍ସ ନପହଞ୍ଚିବାରୁ ଖଟିଆରେ ବୁହାହେଉଛନ୍ତି ରୋଗୀ । ଆଉ କେଉଁଠି ହସ୍ପିଟାଲରେ ଆମ୍ବୁଲାନ୍ସ କି ଶବବାହକ ଗାଡ଼ି ମିଳୁନଥିବାରୁ ଗରିବ ଲୋକଟି ନାହିଁନଥିବା ଅସୁବିଧା ଭୋଗୁଛି । ଯାହା ନିକଟରେ ବଲାଙ୍ଗୀର ମେଡିକାଲରେ ଦେଖିବାକୁ ମିଳିଥିଲା। ଜଣେ ନାବାଳିକା ନିଜ ମାଙ୍କ ମୃତଦେହ ନିକଟରେ ଘଣ୍ଟା ଘଣ୍ଟା ଧରି ଜଗି  ବସିଥିଲେ । ପାଖରେ ପଇସା ନଥିଲା କି ମେଡିକାଲରେ ଶବ ବାହକ ଗାଡ଼ି ନଥିଲା  । ଫଳରେ ମେଡିକାଲରେ ପଡ଼ି ରହିଲା ମହିଳାଙ୍କ ଶବ ।  ଏ ଘଟଣା ଖୁବ୍ ଚର୍ଚ୍ଚାକୁ ଆସିଥିଲା।

 ଏତେ ସବୁ ସମସ୍ୟା ଦେଖିବା ପରେ ବି ଚେତୁନାହାନ୍ତି ସରକାର ।  ଲାଗୁଛି ଯେପରି ଚାହିଁ ଚାହିଁ ଜଳକା ଏ ସରକାର ।