କନକ ବ୍ୟୁରୋ: ପ୍ରଥମେ କରୋନା ଏବେ ଏଚଏମପିଭି । ଗୋଟିଏ ପରେ ଗୋଟିଏ ଭୂତାଣୁ ଦେଇ ପୁରା ବିଶ୍ବକୁ ଡରାଇଲାଣି । ୨୦୧୯ ମସିହାରେ ଯେବେ କରୋନା ଆସିଥିଲା କେହି କେବେ ଭାବିନଥିଲେ କି ଏତେ ମାରାତ୍ମକ ହେବ ବୋଲି । କିନ୍ତୁ କରୋନା ଯେ କେମିତି ସାଙ୍ଘାତିକ ହେଲା, କେତେ ଲୋକଙ୍କ ଜୀବନ ନେଲା ତାହା ପୁରା ବିଶ୍ବ ଦେଖିଲା । ସ୍ଥିତି ତ ଏମିତି ହେଲା କି ବର୍ଷବର୍ଷ ପର୍ଯ୍ୟନ୍ତ ଲକଡାଉନ୍ ଓ ସଟଡାଉନ୍ ରହିଲା ପୁରା ବିଶ୍ବ । ଏବେ ପୁଣି ଥରେ ଏଚଏମପିଭି ଭାଇରସ ଆସିବା ପରେ ଚିନ୍ତାରେ ବିଶ୍ବବାସୀ । ତେବେ ଏହି ଦୁଇ ଭାଇସରସ ମଧ୍ୟରୁ ଅଧିକ କ୍ଷତିକାରକ କିଏ ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।
କରୋନା, HMPV ଭିତରୁ ଘାତକ କିଏ ?
ଅଳ୍ପ ସମୟରେ ମଣିଷ ଶରୀର ପାଇଁ କ୍ଷତିକାରକ କିଏ ?
ଏଚଏମପିଭି ମାମଲା ସାମ୍ନାକୁ ଆସିବା ପରେ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି । କାରଣ ଏ ଭାଇରସ ବି ଘାତକ ହୋଇପାରେ ବୋଲି ଅନେକ କହୁଛନ୍ତି । କିନ୍ତୁ ସ୍ବାସ୍ଥ୍ୟବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଭାଇରସ୍ ଏତେ ମାରାତ୍ମକ ନୁହେଁ । ଇଏ ନୂଆ ନୁହେଁ ବରଂ ପୁରୁଣା ଭାଇରାସ । ହେଲେ ଏଥିରୁ ନିଜକୁ ଦୂରେଇ ରଖିବାର ଆବଶ୍ୟକ ଅଛି । ନୂଆଦିଲ୍ଲୀର ଜଣେ ପ୍ରସିଦ୍ଧ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଉଭୟ ଭୂତାଣୁ ଖୁବଶୀଘ୍ର ସଂକ୍ରମିତ କରେ । ଉଭୟ ଭୂତାଣୁର ଆଣ୍ଟିଜେନ୍ ଲି ଅଲଗା ଅଲଗା । ଉଭୟ କିନ୍ତୁ ଆରଏନଏ ଭାଇରସ୍ । ବର୍ତ୍ତମାନ ସୁଦ୍ଧା ଏଚଏମପିଭି ଭାଇରସ ଏତେ ମାତ୍ରାରେ ବ୍ୟାପିନାହିଁ । କିନ୍ତୁ ବ୍ୟାପିବ ନାହିଁ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ତେଣୁ ସମସ୍ତେ ସାବଧାନ ରହିବା ଦରକାର ।
କରୋନା ବେଳେ ନିଶ୍ବାସ ବନ୍ଦ ହେଉଥିଲା
ଅକ୍ସିଜେନ୍ ଲେବଲ ହଠାତ୍ କମୁଥିଲା
ଏଚଏମପିଭିରେ ନିଶ୍ବାସ ବନ୍ଦ ହେବା ସହିତ ତଣ୍ଟି ଦରଜ ହୁଏ
କରୋନା ମହାମାରୀ ଆସିବା ପରେ ଏହା ଏତେ ଭୟଙ୍କର ହେବ ବୋଲ କେହି କେବେ ଭାବିନଥିଲେ । କିନ୍ତୁ ସାଙ୍ଘାତିକ ହୋଇଥିଲା ଏହି ମହାମାରୀ । କରୋନା ହେବା ପରେ ଅକ୍ସିଜେନ୍ ଲେବଲ କମିବା ସହିତ ଶରୀରର ପ୍ଲେଟଲେଟ୍ ବି କମୁଥିଲା । ସାଙ୍ଘାତିକ ଭାବରେ ଫୁସଫୁସ ସଂକ୍ରମଣ ହେଉଥିଲା, ଭେଣ୍ଟିଲେଟର ଜରୁରୀ ହୋଇପଡୁଥିଲା । ତେଣୁ ଅକାରଣେ ଶହଶହ ସଂଖ୍ୟାରେ ଲୋକଙ୍କ ଜୀବନ ଯାଇଥିଲା । ଠିକ୍ ସେହିପରି ଏଚଏମପିଭିରେ ଆକ୍ରାନ୍ତ ହେବା ପରେ ପ୍ରବଳ ଥଣ୍ଡା, କାଶ, ତଣ୍ଟିବ୍ୟଥା, ନାକ ବନ୍ଦ, ନିଶ୍ବାସ ନେବାରେ କଷ୍ଟ ଅନୁଭବ ସହ ଜ୍ବର ବି ହେଉଛି । କିଛି ଆକ୍ରାନ୍ତଙ୍କୁ ବ୍ରୋଙ୍କାଇଟିସ୍ ଓ ନିମୋନିଆ ବି ହେଉଛି । ରୋଗ ପ୍ରତିଶୋଧକ ଶକ୍ତି ବି କମିଯାଉଛି । କରୋନା ପିଲାଙ୍କୁ କମ୍ ଆକ୍ରାନ୍ତ କରୁଥିବା ବେଳେ ଏଚଏମପିଭି ବା ହ୍ୟୁମାନ୍ ମେଟାନିମୋ ଭାଇରସ ପିଲାଙ୍କୁ ଅଧିକ ସଂଖ୍ୟାରେ ଆକ୍ରମଣ କରୁଛି ।
କେମିତି ବଞ୍ଚିବେ ସଂକ୍ରମଣରୁ
ଏଚଏମପିଭି ଭାଇରସରୁ କେମିତି ରକ୍ଷା ପାଇବେ ବା ସତର୍କ ରହିବେ ସେନେଇ ବି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । କରୋନା ସମୟରେ ଯେମିତି ଭାବରେ ବାରମ୍ବାର ହ୍ୟାଣ୍ଡୱାସରେ ହାତ ଧୋଇବାକୁ ହେଉଥିଲା, ସାନିଟାଇଜର ବ୍ୟବହାର ଓ ମାସ୍କ ପିନ୍ଧୁଥିଲେ । ଠିକ୍ ସେମିତି ଏଚଏମପିଭିରେ ବି ବାରମ୍ବାର ହାତଧୋଇବା, ମାସ୍କ ପିନ୍ଧିବା ସହିତ ପରିଷ୍କାର ଓ ପରିଚ୍ଛନ୍ନତା ରହିବାକୁ ପରାମର୍ଶ ଦିଆଯାଇଛି । ସେପଟେ କରୋନାରେ ଯେତେ ମାତ୍ରାରେ ସଂକ୍ରମିତଙ୍କ ମୃତ୍ୟୁ ହେଉଥିଲା ଏଚଏମପିଭିରେ ସେତେ ମାତ୍ରାରେ ମୃତ୍ୟୁହାର ରହିବ ନାହିଁ ବୋଲି କୁହାଯାଉଛି ।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ନୂଆନୂଆ ଭାଇରସ ଆସିବା ପରେ ଆତଙ୍କିତ ହୋଇ ପଡ଼ିଛନ୍ତି ବିଶ୍ବବାସୀ । କାରଣ କରୋନା ଅନେକଙ୍କର ବଡ଼ କ୍ଷତି କରିଛି । ତେଣୁ ଏହି ଭାଇରସ କେତେ ମାତ୍ରାରେ କ୍ଷତି କରିବ ସେନେଇ ଆଶଙ୍କା ଭିତରେ ଅନେକ ଅଛନ୍ତି । ଭଲଖବର ଏଇୟା କି, ଓଡ଼ିଶାରେ ଏଯାଏଁ ଏଚଏମପିଭି ଭୂତାଣୁ ଚିହ୍ନଟ ହୋଇନି । ତେଣୁ ଆଗାମୀ ଦିନରେ ସ୍ଥିତି କଣ ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ଥିବା ବେଳେ କେନ୍ଦ୍ର ସରକାର କହିଛନ୍ତି, ଏହି ଭୂତାଣୁକୁ ନେଇ ଡରିବାର ଆବଶ୍ୟକତା ନାହିଁ କେବଳ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।