କନକ ବ୍ୟୁରୋ: ସବୁଠାରୁ ଅଧିକ ବ୍ୟବହୃତ ପ୍ରସାଧନ ସାମଗ୍ରୀ ମଧ୍ୟରୁ ଲିପ୍‌ଷ୍ଟିକ୍ ହେଉଛି ଅନ୍ୟତମ । ଏହା ମୁଖମଣ୍ଡଳକୁ ଆକର୍ଷଣୀୟ କରିବା ସହ ବ୍ୟକ୍ତିତ୍ବକୁ ପରିମାର୍ଜିତ କରିଥାଏ । ତେବେ ଏହାର ଆକର୍ଷଣ ତଳେ ଲୁଚି ରହିଥିବା ବିପଦ କଥା ହୁଏତ ଅନେକେ ଜାଣିନାହାନ୍ତି । ମହିଳାଙ୍କ ପାଇଁ ଅପରିହାର୍ଯ୍ୟ ପାଲଟିଥିବା ଏହି ସାମଗ୍ରୀରେ ରହିଛି ସୀସା ଓ କ୍ୟାଡ୍‌ମିୟମ୍‌ ଭଳି ବିଷାକ୍ତ ପଦାର୍ଥ । ଏଗୁଡ଼ିକ ଗମ୍ଭୀର ସ୍ୱାସ୍ଥ୍ୟସଂକଟ ସୃଷ୍ଟିକରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି । ଏହି ଲୋଭନୀୟ ସାମଗ୍ରୀର ଦୀର୍ଘକାଳୀନ ବ୍ୟବହାର ଫୁସ୍‌ଫୁସ୍‌କୁ ପ୍ରଭାବିତ କରି କର୍କଟ ଭଳି ବିପଦର ଆଶଙ୍କା ସୃଷ୍ଟି କରେ ବୋଲି ଜଣାପଡ଼ିଛି । 

Advertisment

ଅଧ୍ୟୟନ ଅନୁଯାୟୀ, ବଜାରରେ ଉପଲବ୍‌ଧ ଅନେକ ଜଣାଶୁଣା କମ୍ପାନିର ଲିପ୍‌ଷ୍ଟିକ୍‌ରେ ସୀସା, କ୍ୟାଡ୍‌ମିୟମ୍, କ୍ରୋମିୟମ୍, ବେରିଲିୟମ୍ ଓ ଥାଲିୟମ୍ ଭଳି କର୍କଟ ସୃଷ୍ଟିକାରୀ ଧାତୁ ଥାଏ । ଏପରିକି ପରୀକ୍ଷିତ ୯୬% ଲିପ୍‌ଷ୍ଟିକ୍‌ରେ ସୀସା, ୫୧%ରେ କ୍ୟାଡ୍‌ମିୟମ୍, ୯୦%ରେ ବେରିଲିୟମ୍ ଓ ୬୧%ରେ ଥାଲିୟମ୍ ରହିଛି । ଏହି ଧାତୁଗୁଡ଼ିକ ଚର୍ମ, ଖାଦ୍ୟଗ୍ରହଣ ବା ଶ୍ୱାସକ୍ରିୟା ମାଧ୍ୟମରେ ଶରୀରକୁ ଯାଇଥାଏ। ସୀସା ଏକ କର୍କଟ ସୃଷ୍ଟିକାରୀ ଧାତୁ ଓ ନ୍ୟୁରୋଟକ୍ସିନ୍‌ ହୋଇଥିବା ବେଳେ କ୍ୟାଡ୍‌ମିୟମ୍ ଏକ ଗ୍ରୁପ୍‌ ୧ ମାନବ କର୍କଟ ରୋଗ ସୃଷ୍ଟିକାରୀ ଧାତୁ । ଦୀର୍ଘସମୟ  ବ୍ୟବହାର କଲେ ଫୁସ୍‌ଫୁସ୍‌, ସ୍ତନ ଓ ଏଣ୍ଡୋମେଟ୍ରିଆଲ୍‌ କର୍କଟ ଆଶଙ୍କା‌ ସୃଷ୍ଟି ହୋଇଥାଏ  । ଏହି କ୍ରମରେ କ୍ୟାଡ୍‌ମିୟମ୍‌ ଅତ୍ୟନ୍ତ କ୍ଷତିକାରକ ବୋଲି ବିଶେଷଜ୍ଞ ଡାକ୍ତର ଚେତାବନୀ ଦେଇଛନ୍ତି ।

ଏହା ଫୁସ୍‌ଫୁସ୍‌ କର୍କଟ, ବୃକ୍‌କ କ୍ଷତି ଓ ଶ୍ୱାସକ୍ରିୟା ସମସ୍ୟା ସୃଷ୍ଟି କରେ । ଭାରତୀୟ ଔଷଧ ଓ ପ୍ରସାଧନ ସାମଗ୍ରୀ ଆଇନ ଏଗୁଡ଼ିକର ବ୍ୟବହାର ସୀମା ଧାର୍ଯ୍ୟ କରିଛି । ସେଥି ମଧ୍ୟରେ ୨୦ ପିପିଏମ୍‌ ପର୍ଯ୍ୟନ୍ତ ସୀସା ଏବଂ ୧୦୦ ପିପିଏମ୍‌ ପର୍ଯ୍ୟନ୍ତ ମୋଟ୍‌ ଭାରୀ ଧାତୁ ବ୍ୟବହାର ହୋଇପାରିବ । ତଥାପି ଲିପ୍‌ଷ୍ଟିକ୍ ଉତ୍ପାଦନରେ କ୍ୟାଡ୍‌ମିୟମ୍ ଭଳି କିଛି ଧାତୁ ପାଇଁ ସ୍ପଷ୍ଟ ଭାବେ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରାଯାଇନାହିଁ । ତେବେ ଏ ବାବଦରେ ତନଖି ବ୍ୟବସ୍ଥା ଅତି ଦୁର୍ବଳ ଏବଂ ନିର୍ମାତାମାନେ ପ୍ରକୃତସ୍ତର ପ୍ରକାଶ କରିବାକୁ ବାଧ୍ୟ ନୁହନ୍ତି । ତେଣୁ ବିଷାକ୍ତ ରାସାୟନିକ ଲିପ୍‌ଷ୍ଟିକ୍‌ ବଦଳରେ ପ୍ରାକୃତିକ  ଉପାଦାନରେ ତିଆରି ଲିପ୍‌ଷ୍ଟିକ୍‌ ଶ୍ରେୟସ୍କର ବୋଲି ଡାକ୍ତରମାନେ କହିଛନ୍ତି ।