କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ସମସ୍ତ ବିଭାଗ ସଜାଗ ହୋଇଛି । ଏହି କ୍ରମରେ ବାତ୍ୟା ପ୍ରଭାବିତଙ୍କୁ କିଭଳି ସଠିକ ସମୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେନେଇ ପ୍ରସ୍ତୁତି ଆରମ୍ଭ କରିଛି ସ୍ୱାସ୍ଥ୍ୟବିଭାଗ । ଏନେଇ ଆଜି ସଚିବ ସ୍ତରୀୟ ବୈଠକ ଆରମ୍ଭ ହୋଇଛି । ଏଥିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଏସଆରସି ଦେଓରଞ୍ଜନ କୁମାର ସିଂ, ଉନ୍ନୟନ କମିସନର ଅନୁ ଗର୍ଗଙ୍କ ସହ ଉପକୂଳବର୍ତ୍ତି ଜିଲ୍ଲାମାନଙ୍କର ଜିଲ୍ଲାପାଳମାନେ ଉପସ୍ଥିତି ରହିଛନ୍ତି । ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିଛି ସ୍ୱାସ୍ଥ୍ୟ ବିଭାଗର । ବାତ୍ୟା ପ୍ରଭାବିତ ଲୋକଙ୍କ ପାଖରେ କିଭଳି ଔଷଧ ପହଂଚାଯାଇପାରିବ, ଏହାସହ କିଛି ଅଘଟଣା ଘଟିଲେ ଲୋକମାନଙ୍କୁ କିଭଳି ତୁରନ୍ତ ମେଡିକାଲକୁ ଅଣାଯାଇ ଚିକିତ୍ସା କରାଯାଇପାରିବ ତା ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଇଛି । ବାତ୍ୟାବେଳେ ଗର୍ଭବତୀମାନଙ୍କ ସୁରକ୍ଷା, ବାତ୍ୟାପରେ ସମ୍ଭାବ୍ୟ ଡାଇରିଆ ମୁକାବିଲା କରାଯାଇପାରିବ ତା ଉପରେ ନଜର ରହିଛି । ଏହାସହ ସମସ୍ତ ଔଷଧ ମହଜୁଦ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ଅନ୍ୟପଟେ ବାତ୍ୟା ବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଲେ ମେଡିକାଲଗୁଡିକରେ ଜେନେରେଟର ଚଳାଇ କିଭଳି ଚିକିତ୍ସା କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ଚାଲିଛି ।