କନକ ବ୍ୟୁରୋ:  ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟୟ । ସ୍ବାସ୍ଥ୍ୟ ସଚିବଙ୍କୁ ଅବଗତ ପରେ ବି ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ବରୀବାସି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର। ପାଳି କରି ଡ୍ୟୁଟି କରୁଛନ୍ତି ଡାକ୍ତରମାନେ। ଅଭିଯୋଗରେ ସତ୍ୟତା ପ୍ରମାଣିତ ପରେ ବି ହେଉନି କାର୍ଯ୍ୟନୁଷ୍ଠାନ  ।
 
ଯାଜପୁର ଜିଲ୍ଲାର ଅପହଞ୍ଚ ଅଞ୍ଚଳ ବରୀ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ୟା ଭୋଗୁଛନ୍ତି ନଦୀ ନାଳ ଘେରା ଅଞ୍ଚଳବାସୀ । ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୨୯ଟି ପଞ୍ଚାୟତର ଲୋକ ନିର୍ଭରଶୀଳ। ହେଲେ ଏଠି ସବୁବେଳେ ଡାକ୍ତରଙ୍କ ଦେଖା ମିଳେନାହିଁ। ପାଳି କରି ଡ୍ୟୁଟି କରନ୍ତି ଡାକ୍ତର। ସ୍ବାସ୍ଥ୍ୟ ଅଧିକାରୀ ମଧ୍ୟ ଡ୍ୟୁଟି କରୁନାହାନ୍ତି। ଯାହାଫଳରେ ରୋଗୀମାନେ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି। ବାଧ୍ୟ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନଚେତ୍ କଟକ ଯାଉଛନ୍ତି । 
 

Advertisment

ଆଉ ଏକ ବଡ଼ ଅଭିଯୋଗ, ବିଭିନ୍ନ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଔଷଧ ପୋଡ଼ା ଯାଉଛି, କିନ୍ତୁ ରୋଗୀଙ୍କୁ ବାହାରୁ ଔଷଧ କିଣିବାକୁ ବାଧ୍ୟ କରାଯାଉଛି। ଏ ସଂପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ସ୍ଥାନୀୟ ଅଧିବାସୀ। ତଥାପି ପ୍ରଭାବ ପଡ଼ୁନି କି ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳୁନି। କିଛିଦିନ ତଳେ ରୋଗୀ କଲ୍ୟାଣ ସମିତି ବୈଠକରେ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଉପରେ ବର୍ଷିବା ସହ ବରୀବାସି ଉତ୍ତମ ସେବା ନପାଇଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ହେଲେ ବିଧାୟକଙ୍କ କଥାକୁ ସ୍ବାସ୍ଥ୍ୟ ଅଧିକାରୀଙ୍କ ଖାତିର୍ ନାହିଁ ।

ଯାଜପୁର ଜିଲ୍ଲାପାଳ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କରି ସୁଧାରିବା ପାଇଁ ତାଗିଦ୍ କରିଥିଲେ। ସେହିପରି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ମିଶ୍ର ମଧ୍ୟ ଅଚାନକ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ସିଡିଏମ୍‌ଓଙ୍କ ଗସ୍ତ ସମୟରେ ଡାକ୍ତର, କିରାଣି ଅନୁପସ୍ଥିତ ଥିଲେ। ଆୟୁଷ ଡାକ୍ତର ମଧୁସ୍ମିତା ସାମଲ ଓ ଡାକ୍ତର ଅଶ୍ୱିନ ରଣା ଅନୁପସ୍ଥିତ ଥିବା ବେଳେ ସେମାନଙ୍କ ଉପସ୍ଥାନ ପଡ଼ିଥିଲା। ଏ ସବୁ ଘଟଣା ଦେଖିବା ପରେ ବରୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥାକୁ ସ୍ୱୀକାର କରିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । 

ଅଧିକ ପଢନ୍ତୁ: ଉପାନ୍ତରେ ଉଜୁଡ଼ା ସ୍ୱାସ୍ଥ୍ୟସେବା; ନାହାନ୍ତି ଆବଶ୍ୟକ କର୍ମଚାରୀ ! ରକ୍ତ ନମୁନା ରିପୋର୍ଟ ପ୍ରଦାନରେ ବିଳମ୍ବ

ଡାକ୍ତରଖାନାର କିରାଣିଙ୍କ କାରନାମା ବି କିଛି କମ୍‌ ନୁହେଁ। ବାବୁ ଲାଞ୍ଚ ମାଗିବା ଖବର ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାନରେ ପଡ଼ିଛି। ବରୀର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସଂପର୍କରେ ବିଭାଗୀୟ ମୁଖ୍ୟ ଜାଣିବା ପରେ ବି ସ୍ଥିତିରେ ସୁଧାନ ନଆସିବା ସମସ୍ତଙ୍କୁ ତାଜୁବ୍‌ କରିଛି। ବରୀ ଚିକିତ୍ସାଧାରୀ କାହା ଛତ୍ରଛାୟା ତଳେ ଅଛନ୍ତି? କାହା ବଳରେ ବାବୁ ବଳୀୟାନ୍‌? କାହିଁକି ନିଆଯାଉନାହିଁ କାର୍ଯ୍ୟାନୁଷ୍ଠାନ? କେବେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବେ ବରୀବାସୀ? ଏବେ ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜା ପଡ଼ିଛି।