କନକ ବ୍ୟୁରୋ: କଟକ ନୂଆ ବଜାର ପୋଲ ଉପରେ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କଲା ପୁଲିସ । କେହି ଗୁଳିମାଡ଼ କରିନଥିଲେ ବରଂ ଯୁବକଙ୍କ ହାତରେ ନିଜେ ଫୁଟାଇଦେଇଥିଲେ ଗୁଳି । ଏନେଇ ପ୍ରେସମିଟ୍ କରି ପୁଲିସ ଘଟଣା ବିଷୟରେ କହିଛନ୍ତି । ପୁଲିସ ମୁତାବକ ସାଙ୍ଗକୁ ବନ୍ଧୁକ ଦେଖାଇବା ବେଳେ ଏଭଳି ଘଟଣା ଘଟିଛି ।
ଡିସିପି କହିଛନ୍ତି, ଆମେ ମେଡିକାଲରୁ ଖବର ପାଇଥିଲୁ ଜଣଙ୍କ ଗୋଡ଼ରେ ଗୁଳି ପସିଛି ସେମାନେ ଚିକିତ୍ସା ପାଇଁ ଆସିଛନ୍ତି । ଆମେ ସେଠାରେ ପହଞ୍ଚିଥିଲୁ । ପଚରାଉଚରା ବେଳେ ତାଙ୍କ କଥାରେ ତାଳମେଳ ରହିନଥିଲା । ସନ୍ଦେହ ହେବାରୁ ଆମେ ତଦନ୍ତ ଜୋରଦାର କରିଥିଲୁ । ପରେ ସତ ସାମ୍ନାକୁ ଆସିଥିଲା । ଅପର୍ଣ୍ଣା ନଗରର ଭଗବାନ ରାଉତ ତାଙ୍କ ପାଖରେ ଏକ ବନ୍ଧୁକ ରଖିଥିଲେ । ଖପୁରିଆ ଅଞ୍ଚଳର ସଞ୍ଜୟ ତରାଇ ତାଙ୍କ ସାଙ୍ଗ । ସନ୍ଧ୍ୟାରେ ଉଭୟ ଭେଟ ହୋଇଥିଲେ । ଭଗବାନ ରାଉତ ତାଙ୍କ ମାଛ ଦୋକାନରେ ତାଙ୍କୁ ବନ୍ଧୁକ ଦେଖାଉଥିଲେ । କେମିତି ଗୁଳି ପଶେ? କେମିତି ଫୁଟାଯାଏ? ଏହି ସମୟରେ ଗୁଳି ଫୁଟି ସଞ୍ଜୟଙ୍କୁ ଗୁଳି ବାଜିଥିଲା । ଏହାପରେ ଘଟଣାକୁ ଲୁଚାଇବା ପାଇଁ ମନଗଢ଼ା କାହାଣୀ ପୁଲିସକୁ କହିଥିଲେ ସଞ୍ଜୟ ଆଉ ଭଗବାନ ।