କନକ ବ୍ୟୁରୋ: ଆଇପିଏଲ ୨୦୨୫ରେ ଚେନ୍ନାଇର ପ୍ରଦର୍ଶନ ଏଥର ସମସ୍ତଙ୍କୁ ନିରାଶ କରିଛି । ଦଳ ପ୍ରଥମଥର ପାଇଁ ପଏଣ୍ଟ ଟେବୁଲର ଶେଷରେ ରହି ବିଦାୟ ନେଇଛି । ତେବେ ଦଳର ଏଭଳି ପ୍ରଦର୍ଶନ ପାଇଁ କାହାକୁ ଦାୟୀ କରାଯିବ? ଦଳ, ନା ବ୍ୟାଟିଂ ନା ବୋଲିଂ କେଉଁଥିରେ ବି ଭଲ ପ୍ରଦର୍ଶନ ଦେଖାଇପାରିନଥିଲା । ହେଲେ ଟୁର୍ଣ୍ଣାମେଣ୍ଟ ଶେଷ ବେଳକୁ ଦଳରେ ୩ ଯୁବ ଖେଳାଳିଙ୍କ ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯେଉଁମାନେ କି ଆଇପିଏଲ ୨୦୨୫ ନିଲାମୀରେ ଅନସୋଲ୍ଡ ରହିଥିଲେ । 

Advertisment

୨୦୨୫ ଆଇପିଏଲ ନିଲାମ ସମୟରେ, ଅନେକ ବଡ଼ ଖେଳାଳିଙ୍କ ଉପରେ ବିଡ୍ ଲାଗିଥିଲା ଏବଂ ସେମାନଙ୍କୁ ବଡ଼ ଦାମରେ କିଣାଯାଇଥିଲା । କିନ୍ତୁ ଏହି ନିଲାମ ସମୟରେ, କିଛି ପ୍ରତିଭାବାନ ଖେଳାଳି ଥିଲେ ଯାହାଙ୍କ ଉପରେ କେହି ବିଡ୍ ଲଗାଇ ନଥିଲେ । ଯଦିଓ ସିଜିନ୍ ମଝିରେ କିଛି ଖେଳାଳି ଆହତ ହେବା ଯୋଗୁଁ ସେମାନଙ୍କୁ ଆଉଟ୍ ହେବାକୁ ପଡିଥିଲା, ଏହି ସମୟ ତିନି ଜଣ ଖେଳାଳିଙ୍କୁ ଆଇପିଏଲ ୨୦୨୫ରେ ଖେଳିବାର ସୁଯୋଗ ମିଳିଥିଲା ଏବଂ ସେମାନେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ ।

ଆୟୁଷ ମହାତ୍ରେ ମାତ୍ର ୧୭ ବର୍ଷର ଜଣେ ଯୁବ ଖେଳାଳି । ନିଲାମରେ ବିକ୍ରି ନ ହେବା ପରେ, ତାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ବଦଳ ଖେଳାଳି ଭାବରେ ଚୁକ୍ତିବଦ୍ଧ କରାଯାଇଥିଲା । ଆହତ ଯୋଗୁଁ ଗାଏକ୍ୱାଡଙ୍କୁ ଏହି ସିଜନ ଅଧାରୁ ବିଦା ହେବାକୁ ପଡ଼ିଥିଲା । ତାଙ୍କ ସ୍ଥାନରେ, ମହାତ୍ରେ ୭ଟି ମ୍ୟାଚ୍‌ରେ ୨୪୦ ରନ୍ କରି ଏକ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ସମୟ ମଧ୍ୟରେ ସେ ୩୪.୨୮ ଆଭରେଜରେ ବ୍ୟାଟିଂ କରିଥିଲେ ଏବଂ ତାଙ୍କ ଷ୍ଟ୍ରାଇକ୍ ରେଟ୍ ରହିଥିଲା ୧୮୮.୯୭ ।

ଆରସିବି ବିପକ୍ଷରେ ୯୪ ରନର ଅପରାଜିତ ଇନିଂସ ଖେଳିବା ପରେ ସମସ୍ତଙ୍କ ନଜର ଆୟୁଷ ମହାତ୍ରେଙ୍କ ଉପରେ ପଡିଥିଲା । ତାଙ୍କ ଫର୍ମକୁ ଦେଖି ଏହା ପ୍ରମାଣିତ ହୋଇଛି ଯେ ସେ ଭବିଷ୍ୟତରେ ଭାରତ ପାଇଁ ଜଣେ ବଡ଼ ଷ୍ଟାର କ୍ରିକେଟ ହୋଇପାରିବେ । 

୨୦୨୫ ମେଗା ଅକ୍ସନ ସମୟରେ ୨୨ ବର୍ଷୀୟ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଡେୱାଲ୍ଡ ବ୍ରେଭିସ ମଧ୍ୟ ଅଲୋଡ଼ା ରହିଥିଲେ । କିନ୍ତୁ ଗୁରଜପନିତ ସିଂଙ୍କ ସ୍ଥାନରେ ସିଏସକେ ତାଙ୍କୁ ସୁଯୋଗ ଦେଇଥିଲା । ଚେନ୍ନାଇ ପାଇଁ ବ୍ରେଭିସ୍ ୬ଟି ମ୍ୟାଚ୍ ଖେଳି ୨୨୫ ରନ୍ କରିଥିଲେ । ଏହି ସମୟ ମଧ୍ୟରେ ତାଙ୍କର ଆଭରେଜ୍ ୩୭.୫୦ ଏବଂ ଷ୍ଟ୍ରାଇକ୍ ରେଟ୍ ୧୮୦.୦୦ ଥିଲା । ସବୁଠାରୁ ଖାସ୍ କଥା ହେଉଛି ସେ ୬ଟି ମ୍ୟାଚରେ ୧୭ଟି ଛକା ମାରିଥିଲେ । 

ମେଗା ଅକ୍ସନରେ ଗୁଜରାଟର ଉର୍ଭିଲ ପଟେଲଙ୍କୁ ମଧ୍ୟ କେହି କିଣିନଥିଲେ । କିନ୍ତୁ ସିଏସକେ ତାଙ୍କୁ ନିଜକୁ ପ୍ରମାଣିତ କରିବା ପାଇଁ ସୁଯୋଗ ଦେଇଥିଲା । ବଂଶ ବେଦୀଙ୍କ ବଦଳ ଖେଳାଳି ଭାବରେ ଉର୍ଭିଲଙ୍କୁ ଦଳରେ ସାମିଲ କରାଯାଇଥିଲା । ଉର୍ଭିଲଙ୍କୁ କେବଳ ୩ଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା, ଏହି ସମୟରେ ସେ ୨୧୨.୫୦ ଷ୍ଟ୍ରାଇକ୍ ରେଟ୍‌ରେ ୬୮ ରନ୍ କରିଥିଲେ, ଯେଉଁଥିରେ ତାଙ୍କର ଆଭରେଜ୍ ୨୨.୬୬ ଥିଲା । ତାଙ୍କ ପ୍ରଦର୍ଶନ ଦେଖି, ସିଏସକେ ଏବେ ତାଙ୍କୁ ଭବିଷ୍ୟତର ପାୱାର-ହିଟର ଭାବରେ ଦେଖୁଛି ।

ସିଏସକେ ନିଜ ଦଳରେ ସବୁବେଳେ ବରିଷ୍ଠ ଓ ଅଭିଜ୍ଞ ଖେଳାଳିଙ୍କୁ ସୁଯୋଗ ଦେଇଥାଏ । ହେଲେ ଏଥର ଏହି ପ୍ଲାନ କାମ ଦେଇନଥିଲା । ଚେନ୍ନାଇ ଯାହାକୁ ଭରସା କରି ଦଳରେ ଟିମ୍ ଗଢ଼ିଥିଲା ସେମାନେ ବିଫଳ ହୋଇଥିଲେ । ହେଲେ ମ୍ୟାଚ ଅଧାରେ ବୁଦ୍ଧି ଶିଖିଥିଲା ଚେନ୍ନାଇ । ଏହି ୩ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରିବାର ଠିକ ନିଷ୍ପତ୍ତି ନେଇଥିଲା, ଯେଉଁମାନେ ଶେଷ ସମୟରେ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ । ହେଲେ ସେତେବେଳେକୁ ଚେନ୍ନାଇର ସବୁ ଆଶା ସରିଯାଇଥିଲା ।